Categories: ଜାତୀୟ

ଦୁର୍ନୀତିଗ୍ରସ୍ତ ବାବୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନି

ନୂଆଦିଲ୍ଲୀ,୨୪।୯ (ପି.ଟି.): ସରକାରୀ ବିଭାଗଗୁଡ଼ିକ ୩୪ଟି ବଡ଼ ମାମଲାରେ ଦୁର୍ନୀତିଗ୍ରସ୍ତ ବାବୁମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶନାମାର ଅନୁପାଳନ କରି ନ ଥିବା କେନ୍ଦ୍ରୀୟ ଭିଜିଲାନ୍ସ ଆୟୋଗ (ସିଭିସି) ଦର୍ଶାଇଛନ୍ତି। କେତେକ ମାମଲାରେ ଉକ୍ତ ଦୁର୍ନୀତିଗ୍ରସ୍ତ ଅଫିସରମାନଙ୍କୁ ଦୋଷମୁକ୍ତ କରିଦିଆଯାଇଛି କିମ୍ବା ସେମାନଙ୍କ ବିରୋଧରେ ସମ୍ପୃକ୍ତ ବିଭାଗ ଦଣ୍ଡ କୋହଳ କରିଦେଇଛିି। ସିଭିସିର ୨୦୨୩ ବାର୍ଷିକ ରିପୋର୍ଟରୁ ଏହା ଜଣାପଡ଼ିଛି।
କୋଇଲା ମନ୍ତ୍ରଣାଳୟ ସହ ସମ୍ପୃକ୍ତ ଏଭଳି ସର୍ବାଧିକ ୭ଟି ମାମଲା ରହିଥିବାବେଳେ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ)ରେ ୫ଟି, ଆଇଡିବିଆଇରେ ୪, ଇସ୍ପାତ ମନ୍ତ୍ରଣାଳୟରେ ୩, ଶକ୍ତି ମନ୍ତ୍ରଣାଳୟ ଏବଂ ଏନ୍‌ବିସିସି(ଇଣ୍ଡିଆ) ଲିଃରେ ୨ଟି ଲେଖାଏ ମାମଲା ରହିଛି। ଦିଲ୍ଲୀ ଜଳ ବୋର୍ଡ, ଗଭର୍ନମେଣ୍ଟ ଅଫ୍‌ ନ୍ୟାଶନାଲ କ୍ୟାପିଟାଲ ଟେରିଟୋରି ଅଫ୍‌ ଦିଲ୍ଲୀ (ଜିଏନ୍‌ସିଟିଡି), ରେଳ ମନ୍ତ୍ରଣାଳୟ, ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ, କେନ୍ଦ୍ରୀୟ ପରୋକ୍ଷ ଟିକସ ଓ ସୀମାଶୁଳ୍କ ବିଭାଗ (ସିବିଆଇସି) ଏବଂ କାଉନ୍‌ସିଲ ଅଫ୍‌ ସାଇଣ୍ଟିଫିକ୍‌ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (ସିଏସ୍‌ଆଇଆର୍‌)ରେ ଗୋଟିଏ ଲେଖାଏ ମାମଲା ରହିଥିବା ଉକ୍ତ ରିପୋର୍ଟରୁ ଜଣାପଡ଼ିଛି। ସେହିପରି ସିକ୍ୟୁରିଟି ପ୍ରିଣ୍ଟିଙ୍ଗ ଆଣ୍ଡ ମିଣ୍ଟିଙ୍ଗ୍‌ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିଃ, ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିଃ (ଇସିଆଇଏଲ୍‌), ନ୍ୟାଶନାଲ ଫର୍ଟିଲାଇଜର ଲିଃ, ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଏବଂ ୟୁନାଇଟେଡ୍‌ ଇଣ୍ଡିଆ ଇନ୍‌ସ୍ୟୁରାନ୍ସ କମ୍ପାନୀ ଲିଃ ସିଭିସିଙ୍କ ପରାମର୍ଶକୁ କାର୍ଯ୍ୟକାରୀ କରି ନାହାନ୍ତି। କମିଶନଙ୍କ ପରାମର୍ଶକୁ ଗ୍ରହଣ ନ କରିବା ଭିଜିଲାନ୍ସ ପ୍ରକ୍ରିୟାକୁ ନଷ୍ଟ କରିବା ସହ ଭିଜିଲାନ୍ସ ପ୍ରଶାସନର ନିରପେକ୍ଷତାକୁ ଦୁର୍ବଳ କରିଦେଉଛି ବୋଲି ରିପୋର୍ଟରେ କୁହାଯାଇଛି। କୋଇଲା ମନ୍ତ୍ରଣାଳୟରେ ଜଣେ ପ୍ରୋଜେକ୍ଟ ଅଫିସର, ଜଣେ ମୁଖ୍ୟ ମ୍ୟାନେଜର, ୩ ମ୍ୟାନେଜର ଏବଂ ଭାରତ କୋକିଂ କୋଲ ଲିଃ (ବିସିସିଏଲ୍‌)ର ଜଣେ ନିର୍ଦ୍ଦେଶକଙ୍କୁ ଠିକା ପ୍ରଦାନ, ପୁନଃ ଟେଣ୍ଡର କରିବାରେ ଅନିୟମିତତା ମାମଲା ପାଇଁ ଦାୟୀ କରାଯାଇଥିବାବେଳେ ସିଭିସିଙ୍କ ପରାମର୍ଶକୁ ବିଭାଗ କାର୍ଯ୍ୟକାରୀ କରିନାହିଁ। ସେହିପରି ଏସ୍‌ବିଆଇ ମାମଲାରେ ବ୍ୟାଙ୍କ୍‌ର ରିଜିଓନାଲ ବିଜ୍‌ନେସ ଅଫିସ୍‌ ରିନୋଭେଶନ ଏବଂ ମରାମତି କାର୍ଯ୍ୟ, ବିଭିନ୍ନ ସାମଗ୍ରୀ କିଣାରେ ପର୍ଯ୍ୟାପ୍ତ ବ୍ୟୟ କରିଥିବା ଜଣାପଡ଼ିଥିଲା। ବିଭାଗୀୟ ତଦନ୍ତ ପରେ ଜଣେ ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର ଓ ଜଣେ ଚିଫ୍‌ ମ୍ୟାନେଜରଙ୍କ ବିରୋଧରେ ବଡ଼ ଧରଣର ଜରିମାନା ଲଗାଇବା ପାଇଁ କମିଶନ ପରାମର୍ଶ ଦେଇଥିଲେ। ରିଭ୍ୟୁ କମିଟି ଅନିୟମିତତାକୁ ଦେଖିବା ସତ୍ତ୍ୱେ ଜରିମାନା ବଦଳରେ ପ୍ରଶାସନିକ ତାଗିଦ୍‌ ପାଇଁ ୨୦୨୨ ସେପ୍ଟେମ୍ବରରେ ନିର୍ଦ୍ଦେଶ ଜାରି କରିଥିଲା। ଏହିପରି ବିଭିନ୍ନ ବିଭାଗ ସିଭିସିଙ୍କ ପରାମର୍ଶକୁ କାର୍ଯ୍ୟକାରୀ କରି ନ ଥିବା ରିପୋର୍ଟରେ କୁହାଯାଇଛି।

Share