୩ କି.ମି. ଭାରରେ ବୁହାହୋଇ ହସ୍ପିଟାଲ ଗଲେ ରୋଗୀ

ଦଶମନ୍ତପୁର,୨୯।୭(ଅରବିନ୍ଦ ନାୟକ): ଗ୍ରାମକୁ ଆସିପାରିଲାନି ଆମ୍ବୁଲାନ୍ସ। ୩ କି.ମି. ଭାରରେ ବୁହାହୋଇ ଡାକ୍ତରଖାନା ଗଲେ ରୋଗୀ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ୍‌ ଅନ୍ତର୍ଗତ ଲୁଲ୍ଲା ପଞ୍ଚାୟତର କୁଦାଲଅଟାଲ ଗ୍ରାମରେ।

ଗ୍ରାମର ପଦଲାମ ମୁଦୁଲିଙ୍କ ଝିଅ ଅନିତା (୧୧) କିଛି ଦିନ ହେବ ଜ୍ୱରରେ ପୀଡ଼ିତ ଥିଲେ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅତି ଦୁର୍ବଳ ହୋଇପଡିବାରୁ ସୋମବାର ପରିବାର ଲୋକେ ଝିଅକୁ ଡାକ୍ତରଖାନା ନେବାକୁ ବାହାରିଥିଲେ। ମାତ୍ର ଲୁଲ୍ଲାଠାରୁ କୁଦାଲଅଟାଲ ଗ୍ରାମକୁ ରାସ୍ତା ନ ଥିବାରୁ ଗ୍ରାମକୁ ୧୦୮ ଆମ୍ବୁଲାନ୍ସ ଆସି ନ ପାରି ଲୁଲ୍ଲା ଛକରେ ଅପେକ୍ଷା କରିଥିଲା।

ପରିବାର ଲୋକେ ଭାରରେ ଘାଣ୍ଟ୍ରାଗୁଡା ଗ୍ରାମ ଦେଇ ପ୍ରବାହିତ ହେଉଥିବା ବଡ଼ଝୋ ନଦୀ ପାର କରାଇ ଲୁଲ୍ଲା ଛକ ଯାଏ ବୋହି ଆଣି ସେଠାରେ ଅପେକ୍ଷାରତ ଆମ୍ବୁଲାନ୍ସରେ ଦଶମନ୍ତପୁର ଡାକ୍ତରଖାନା ଆଣିଥିଲେ। ଏବେ ଅନିତା ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। କୁଦାଲଅଟାଲ ଗ୍ରାମରେ ୮୦ ପରିବାର ବସବାସ କରନ୍ତି। ଗ୍ରାମକୁ ଲୁଲ୍ଲାଛକରୁ ରାସ୍ତା ନ ଥିବାରୁ ଗ୍ରାମବାସୀ ଦୀର୍ଘ ବର୍ଷ ହେଲା ଦୁର୍ଦ୍ଦଶା ଭୋଗୁଛନ୍ତି। ସବୁବେଳେ ଯେକୌଣସି ରୋଗୀଙ୍କୁ ଏପରି ଭାରରେ ବୋହି ଡାକ୍ତରଖାନା ନେବାକୁ ପଡୁଛି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।

ଏନେଇ ଜିଲା ପ୍ରଶାସନଠାରୁ ଆରମ୍ଭ କରି ବିଭିନ୍ନ ସମୟରେ ଜନ ପ୍ରତିନିଧିମାନଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ ବୋଲି ସେମାନେ କହିଛନ୍ତି। ବଡ଼ଝୋ ନଦୀରେ ଏକ ପୋଲ ନିର୍ମାଣ କରି ଗ୍ରାମକୁ ପକ୍କା ରାସ୍ତା ନିର୍ମାଣ କରିବାକୁ ଗ୍ରାମର ଚୈତନ୍ୟ ମୁଦୁଲି, ଭିଙ୍ଗୁ ଦିଶାରୀ, ସାରିଆ ମୁଦୁଲିଙ୍କ ସମେତ ଅନ୍ୟମାନେ ଦାବି କରିଛନ୍ତି। ଏହା ନ ହେଲେ ଆଗାମୀ ଦିନରେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି।