ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର ଆବଶ୍ୟକ ପଡୁଛି।

ପ୍ରକାଶ ଥାଉକି, ଗାଁରେ ରାସ୍ତା ନ ଥିବାରୁ ସାଧାରଣ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶୁକ୍ରବାର ଗ୍ରାମର ସୁରଭି ନାଥ ନାମକ ଜଣେ ଗର୍ଭବତୀ ମହିଳା ପ୍ରସବ ଯନ୍ତ୍ରଣାରେ କଷ୍ଟ ପାଉଥିଲେ। ଏନେଇ ଗ୍ରାମବାସୀ ୧୦୨ ଆମ୍ବୁଲାନ୍ସକୁ ଫୋନ କରି ଘଟଣା ସଂକ୍ରାନ୍ତରେ ଜଣାଇଥିଲେ। ଆମ୍ବୁଲାନ୍ସ ଆସିଥିବା ବେଳେ ରାସ୍ତା ନ ଥିବାରୁ ଗାଁକୁ ଯାଇ ନ ପାରି ଗାଁଠାରୁ ପାଖାପାଖି ୨କି.ମି. ଦୁରରେ ଅଟକି ରହିଥିଲା।

ଫଳରେ ଗ୍ରାମବାସୀ ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ। ପରେ ମହିଳାଙ୍କୁ ଆମ୍ବୁଲାନ୍ସ ଯୋଗେ ଅନନ୍ତପୁର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ଅନ୍ୟପକ୍ଷେ ଗ୍ରାମବାସୀ ଆଜି ବି’ ମୌଳିକ ଅଧିକାରରୁ ବଞ୍ଚିତ ହେଉଛିନ୍ତି। ପ୍ରଶାସନ ସବୁଜାଣି ନିରବଦ୍ରଷ୍ଟା ସାଜିଛି। ଏଭଳିସ୍ଥିତିରେ ଗ୍ରାମବାସୀ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି।

Share