Categories: ଜାତୀୟ

ହାଜତ ମୃତ୍ୟୁ ମାମଲାରେ ପୋଲିସ ଅଧିକାରୀଙ୍କୁ ମିଳିଲା ନାହିଁ ଜାମିନ

ହାଇଦ୍ରାବାଦ୍‌,୭।୯: ତାମିଲନାଡୁର ବାପା ଓ ପୁଅର ହାଜତ ମୃତ୍ୟୁ ମାମଲାରେ ସମ୍ପୃକ୍ତ ଦୁଇ ପୋଲିସ ଅଧିକାରୀଙ୍କୁ ଜାମିନ ଦିଆଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ତାମିଲନାଡୁର ସଥନକୁଲମ ଥାନା ହାଜତରେ ପି ଜେୟାରାଜ ଓ ତାଙ୍କ ପୁଅ ଜେ ବେନ୍ନିକ୍ସ ଗତବର୍ଷ ଜୁନରେ ଦୀର୍ଘ ସମୟ ଧରି ପୋଲିସର ବର୍ବରତାରେ ପ୍ରାଣ ହରାଇଥିଲେ। ଜଷ୍ଟିସ ବୀନିତ ସରନ ଓ ଦୀପେଶ ମାହେଶ୍ୱରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଦୁଇ ପୋଲିସ ଅଧିକାରୀ ପି ରଘୁ ଗଣେଶ ଓ ଏସ୍‌ ଶ୍ରୀଧରଙ୍କୁ ଜାମିନ ଦେବାକୁ ମନା କରି ଦେଇଛନ୍ତି।

ରାଜ୍ୟରେ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ୨୦୨୦ ଜୁନ ୧୯ ତାରିଖରେ ଧାର୍ଯ୍ୟ ସମୟ ଠାରୁ ଅଧିକ ସମୟ ମୋବାଇଲ ଦୋକାନ ଖୋଲା ରଖିବା ଅଭିଯୋଗରେ ଜୟେରାଜ ଓ ବେନ୍ନିକ୍ସଙ୍କୁ ଉଠାଇ ନେଇଥିଲା ପୋଲିସ। ଥାନା ହାଜତରେ ପୋଲିସର ନିର୍ଯାତନା କାରଣରୁ ୨୨ ତାରିଖରେ ସେମାନଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାର ତଦନ୍ତ ଭାର ସିବିଆଇକୁ ଦେଇଥିଲେ ରାଜ୍ୟ ସରକାର।

ଦୀର୍ଘ ୬ ଘଣ୍ଟା ଧରି ପୋଲିସ ନିର୍ଯାତନା ଯୋଗୁ ଉଭୟ ପୀଡ଼ିତ ଗୁରୁତର ହୋଇ ପଡ଼ିଥିଲେ। ଯାହା ଫଳରେ ସେମାନଙ୍କ ମୃତ୍ୟୁ ଘଟିଥିବା ଚାର୍ଜଶିଟ୍‌ରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦର୍ଶାଇଥିଲା। ଚାର୍ଜଶିଟ୍‌ରେ ୯ ପୋଲିସ ଅଧିକାରୀଙ୍କ ନାମ ଉଲ୍ଲେଖ ଥିଲା।

Share