Categories: ଜାତୀୟ

ନଏଡାରେ ଭିକ ମାଗିବା ହେବ ମନା…

ନଏଡା,୨୬।୮ : ଉତ୍ତରପ୍ରଦେଶର ନଏଡା ଦେଶର ପ୍ରଥମ ସ୍ଥାନ ହେବାକୁ ଯାଉଛି ଯେଉଁଠାରେ କୌଣସି ଭିକାରୀ ଦେଖାଯିବେ ନାହିଁ। ନିର୍ମାଣ ସ୍ଥାନ ତଥା ବସ୍ତି ଅଞ୍ଚଳରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ପିଲାମାନଙ୍କୁ ଟ୍ରାଫିକ ସିଗନାଲରେ ଭିକ୍ଷା ମାଗିବା ବନ୍ଦ କରାଯାଇ ସେମାନଙ୍କ ପାଇଁ ଶିକ୍ଷା, ଖାଦ୍ୟ ଏବଂ ଅନ୍ୟାନ୍ୟ ସୁବିଧା ଯୋଗାଇବା ପାଇଁ କର୍ତ୍ତୃପକ୍ଷ ଏକ ନୂତନ ଯୋଜନା ପ୍ରସ୍ତୁତ କରିଛନ୍ତି। ପ୍ରାଧିକରଣର ସିଇଓ ଲୋକେଶ ଏମ ଏହି ଯୋଜନାରେ କାର୍ଯ୍ୟ କରୁଥିବା ଏନଜିଓମାନଙ୍କ ସହିତ ଏକ ବୈଠକରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ଏଥିରେ ନଏଡା ଅଥରିଟିର ଏସିଇଓ ପ୍ରଭାସ କୁମାର, ଡିଜିଏମ ଏସପି ସିଂ, ପ୍ରୋଜେକ୍ଟ ଇଞ୍ଜିନିୟର ଜନସ୍ବାସ୍ଥ୍ୟ ବିଜୟ ରାୱଲଙ୍କ ସହିତ ୯ ରୁ ଅଧିକ ଏନଜିଓ ଅଂଶଗ୍ରହଣ କରିଥିଲେ।

ସିଇଓ ଲୋକେଶ ଏମ ଏନଜିଓର ପ୍ରତିନିଧୀଙ୍କୁ ବିଭିନ୍ନ ଛକ ଏବଂ ବଜାରରେ ଭିକ ମାଗୁଥିବା ପିଲାମାନଙ୍କର ସଂଖ୍ୟା ଏବଂ ବିବରଣୀ ଉପରେ ସର୍ଭେ କରିବାକୁ କହିଥିଲେ, ଯାହାଫଳରେ ଏକ ସ୍ଥାନ ଚୟନ କରି ସେମାନଙ୍କ ଶିକ୍ଷା ତଥା ଅନ୍ୟାନ୍ୟ ସୁବିଧା ପାଇଁ କ୍ଷେତ୍ର ଅନୁଯାୟୀ ବ୍ୟବସ୍ଥା କରାଯାଇପାରିବ। ଏଥି ସହିତ ନିର୍ମାଣ ସ୍ଥଳରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ପିଲାମାନଙ୍କର ତଥ୍ୟ ସଂଗ୍ରହ କରିବାକୁ କୁହାଯାଇଛି। ସେହି ପିଲାମାନଙ୍କୁ ମୌଳିକ ଶିକ୍ଷା ଅଧିକାରୀଙ୍କ ମାଧ୍ୟମରେ ଶିକ୍ଷାର ସୁବିଧା ଯୋଗାଇ ଦିଆଯିବ ।

 

Share