ପରୀର କୌଣସି ହାଡ଼ ନିଖୋଜ ନାହିଁ, ସରୋଜର ଗାମୁଛା ବଡ଼ ପ୍ରମାଣ ଦେବ: ବୋଥ୍ରା

ଭୁବନେଶ୍ୱର,୨୪।୧୨(ବ୍ୟୁରୋ): ନୟାଗଡ଼ ଜିଲା ସଦର ଥାନା ଅଧୀନ ଯଦୁପୁର ଗାଁର ପରୀ ଅପହରଣ ଓ ହତ୍ୟା ଘଟଣା ଦିନକୁ ଦିନ ନୂଆ ମୋଡ ନେବାରେ ଲାଗିଛି। ଏହି ମାମଲାରେ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା ଗୁରୁବାର ବଡ଼ ସୂଚନା ଦେଇଛନ୍ତି। ଗଣମାଧ୍ୟମର ପରୀର ବାକି ହାଡ଼ କୁଆଡେ ଗଲା ପ୍ରଶ୍ନରେ ସେ କହିଛନ୍ତି, ପରୀର କୌଣସି ହାଡ଼ ଗାଏବ ହୋଇନାହିଁ। ପୋଷ୍ଟମର୍ଟମ ରିପୋର୍ଟରେ କୌଣସି ହାଡ଼ ମିଳି ନ ଥିବା କୁହାଯାଇନି। ବିଶେଷଜ୍ଞ ଡ଼ାକ୍ତରମାନେ ହାଡ଼ ମିଳି ନ ଥିବା ନେଇ କିଛି କହିନାହାନ୍ତି। ଦେହାବଶେଷ ମିଳିବା ପରେ ମୃତଦେହ ଚିହ୍ନଟ ପାଇଁ ଡିଏନ୍‌ଏ କରାଯାଇଥିଲା। ଡିଏନ୍‌ଏ ଟେଷ୍ଟ କରିବା ପାଇଁ ଡାକ୍ତରମାନେ କିଛି ହାଡ଼ ପଠାଇଥିଲେ ବୋଲି ସେ କହିଛନ୍ତି।

ଏହାଛଡ଼ା ଡଗ୍‌ ସ୍କ୍ବାଡ୍‌ କାହିଁକି ଗନ୍ଧ ବାରି ପାରିଲାନି ପ୍ରଶ୍ନରେ ବୋଥ୍ରା କହିଛନ୍ତି, ଡଗ୍‌ ସ୍କ୍ବାର୍ଡ ଏସ୍‌ଆଇଟି ବ୍ୟବହାର କରିନାହିଁ। ତା ବିଷୟରେ ପଚାରିଲେ ମୁଁ କିଛି କହିପାରିବି ନାହିଁ। ତେବେ ସରୋଜ ଘରୁ ମିଳିଥିବା ଗାମୁଛା ବଡ଼ ପ୍ରମାଣ ଦେବ। ପରୀକୁ ହତ୍ୟା କରିବା ପରେ ବୋହିଥିବା ରକ୍ତ ସରୋଜ ଗାମୁଛାରେ ପୋଛିଥିଲା। ଉକ୍ତ ଗାମୁଛା ସରୋଜର ଘରୁ ଜବତ କରାଯାଇଛି। ଘଟଣା ପରେ ଗାମୁଛାକୁ ସାବୁନରେ ଅନେକ ଥର ଧୁଆଯାଇଛି। ତେବେ ଯେତେ ଧୋଇଲେ ବି ରକ୍ତଦାଗ କିଛି ରହିଯାଇଥାଏ। ଆମେ ଉକ୍ତ ଗାମୁଛାକୁ ଟେଷ୍ଟିଂ ଲ୍ୟାବ୍‌କୁ ପଠାଇଛୁ। ପୋଖରୀରୁ ମିଳିଥିବା ଲେଗନ୍ସ ମଧ୍ୟ ଟେଷ୍ଟିଂ ଲ୍ୟାବ୍‌ ପଠାଯାଇଛି। ସେଥିରେ କିଛି ଦାଗ ଅଛି କି ନାହିଁ ପରୀକ୍ଷା କରାଯିବ। ଉଭୟ ଗାମୁଛା ଓ ଲେଗିଂସ ଆମକୁ ବଡ଼ ସହାୟତା ଦେବ ବୋଲି ସେ କହିଛନ୍ତି।

ପ୍ରକାଶ ଯେ, ଏହି ଘଟଣାରେ ଯଦୁପୁର ଗାଁର ଜଣେ କଲେଜ ଛାତ୍ରଙ୍କୁ ଏସ୍‌ଆଇଟି ଗିରଫ କରିବା ପରେ କୋର୍ଟ ଚାଲାଣ କରିଥିଲା। ଏବେ ତାଙ୍କୁ ଏସ୍‌ଆଇଟି ରିମାଣ୍ଡରେ ନେଇଛି। ଅପରପକ୍ଷେ ରାଉତରାପୁର ପୋଖରୀରୁ ଲେଗିନ୍ସ ମିଳିବା ପରେ ଅଭିଯୁକ୍ତ ଛାତ୍ରଙ୍କ ପରିବାରର ବୟାନ ବଦଳିଯାଇଛି। ପୁଅକୁ ବଞ୍ଚାଇବାକୁ ସେମାନେ ଅନୁରୋଧ କରିଛନ୍ତି।

Share