ଖୋଲା ଆକାଶ ତଳେ ଶୋଇପାରିବେନି ପିଲା

ଭୁବନେଶ୍ୱର,୧୯ା୧୧(ବ୍ୟୁରୋ):ରାଜ୍ୟର ଅଧିକାଂଶ ସହରାଞ୍ଚଳରେ ପିଲାମାନେ ନିଜ ବାସହୀନ ପରିବାରଙ୍କ ସହ ଖୋଲା ଆକାଶ ତଳେ ରହୁଛନ୍ତି। ଶୀତ ଦିନରେ କରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆସିବା ସହ ଏହାର ପ୍ରକୋପ ଅଧିକ ରହିବ ବୋଲି ଆଶଙ୍କା କରାଯାଉଛି। ତେଣୁ ସେମାନଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ଏକ ନୂଆ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ଶୀତ ସମୟରେ କୌଣସି ପିଲା ଖୋଲା ଆକାଶ ତଳେ ଶୋଇ ପାରିବେ ନାହିଁ। ଏ ଦିଗରେ ପଦକ୍ଷେପ ନେବା ପାଇଁ ବୁଧବାର ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ସମସ୍ତ ଜିଲାପାଳଙ୍କୁ ଚିଠି ଲେଖିଛନ୍ତି। ନିଜ ଜିଲାର ସମସ୍ତ ଅର୍ବାନ ଲୋକାଲ ବଡିଜ୍‌ରେ ଏହି ପିଲା ଓ ତାଙ୍କ ପରିବାରକୁ ଚିହ୍ନଟ କରିବା ପାଇଁ ଏକ ସ୍ବତନ୍ତ୍ର ସଚେତନତା ଅଭିଯାନ କରିବାକୁ କୁହାଯାଇଛି। ଜିଲା ପ୍ରଶାସନ ‘ନୋ ଚାଇଲ୍ଡ ସ୍ଲିପ୍‌ ଅଣ୍ଡର ଦି ଓପନ ସ୍କାଏ’ ନାମରେ ଏକ ଅଭିଯାନ ଆରମ୍ଭ କରିବ। ସେମାନଙ୍କ ସମ୍ପର୍କରେ ସୂଚନା ପାଇବା ପାଇଁ ଏକ ଉତ୍ସର୍ଗୀକୃତ ଟେଲିଫୋନ ବା ହ୍ବାଟ୍ସଆପ୍‌ ନମ୍ବର ଜାରି କରାଯିବ। ସେଲ୍ଟର ଫର୍‌ ଅର୍ବାନ ହୋମ୍‌ଲେସ୍‌ ପ୍ରୋଗ୍ରାମ ଜରିଆରେ ସେମାନଙ୍କ ରହିବା ବ୍ୟବସ୍ଥା କରାଯିବ। ଯେଉଁଠି ସ୍ଥାୟୀ ଆଶ୍ରୟସ୍ଥଳୀ ନ ଥିବ, ସେଠାରେ ଷ୍ଟେ ଅର୍ବାନ ଡେଭଲପ୍‌ମେଣ୍ଟ ଏଜେନ୍ସିର ସମନ୍ବୟରେ ଯଥାଶୀଘ୍ର ଅସ୍ଥାୟୀ ଆଶ୍ରୟସ୍ଥଳୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୁରକ୍ଷା ଦୃଷ୍ଟିରୁ ସେହି ପିଲା ଓ ସେମାନଙ୍କ ପରିବାରବର୍ଗଙ୍କ ନାମ ପଞ୍ଜୀକୃତ କରାଯିବ। ସେମାନଙ୍କୁ କରୋନା ମହାମାରୀ ସମ୍ପର୍କରେ ସଚେତନ କରାଯିବ। ଜିଲାପାଳମାନେ ମାସରେ ଥରେ ଏହି କାର୍ଯ୍ୟକ୍ରମର ସମୀକ୍ଷା କରି ରିପୋର୍ଟ ଦାଖଲ କରିବେ। ଆସନ୍ତା ୧୫ଦିନରେ ଏହାକୁ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Share