ନାଁକୁ ସହର, ନାହିଁ ସର୍ବନିମ୍ନ ସୁବିଧା

ଜଳେଶ୍ୱର,୧୯।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ମ୍ୟୁନିସିପାଲିଟି ଅଧୀନ ୧୬ନଂ. ଓ୍ବାର୍ଡରେ ଥିବା ମଣିପାଟଣା ଗାଁରେ ନାହିଁ ସର୍ବନିମ୍ନ ସୁବିଧା। ଗାଁକୁ ନାହିଁ ସବୁଦିନିଆ ରାସ୍ତା। ଫଳରେ କୌଣସି ଗାଡି ମୋଟର ଗାଁକୁ ଆସିପାରେ ନାହିଁ। ଏପରିକି ଆମ୍ବୁଲାନ୍ସ ମଧ୍ୟ ପଶିପାରେ ନାହିଁ। ଜରୁରୀ ସମୟରେ ରୋଗୀ କିମ୍ବା ପ୍ରସୂତିଙ୍କୁ ଖଟରେ ବୁହାଇ ୨ କି.ମି. ପର୍ଯ୍ୟନ୍ତ ନେବାକୁ ପଡିଥାଏ। ଲୋକେ ଅଙ୍କାବଙ୍କା ହିଡ ଦେଇ ଚାଲି ଚାଲି ଯିବା ଆସିବା କରିଥାନ୍ତି। ନିର୍ବାଚନ ଆସିଲେ ନେତା, ମନ୍ତ୍ରୀ ସମେସ୍ତ ପ୍ରତିଶ୍ରୁତି ଦେଇଥାନ୍ତି, ହେଲେ ଫଳ ଶୂନ।

୧୭ ୱାର୍ଡ଼ ବିଶିଷ୍ଟ ଏହି ମ୍ୟୁନିସିପାଲିଟିର ମୋଟ ଜନସଂଖ୍ୟା ୩୫, ୫୦୦। ୨୦୧୩ରୁ ଏହା ଏନ୍‌ଏସିରୁ ମ୍ୟୁନିସିପାଲିଟି ମାନ୍ୟତା ପାଇଛି। ଜଳେଶ୍ୱର ମ୍ୟୁନିସିପାଲିଟି କାର୍ଯ୍ୟାଳୟଠାରୁ ୫ କି.ମି. ଦୂରରେ ରହିଛି ମଣିପାଟଣା ଗାଁ। ମ୍ୟୁନିସିପାଲିଟିର ସବୁ ୱାର୍ଡ଼କୁ କଂକ୍ରିଟ୍‌ ରାସ୍ତା ଥିବା ବେଳେ ଏହି ଗାଁକୁ ରାସ୍ତା ନାହିଁ କହିଲେ ଚଳେ। ଏହି ଗାଁରେ ୪୦ହରିଜନ ପରିବାର ବସବାସ କରିଆସୁଛନ୍ତି । ଏହାର ଜନସଂଖ୍ୟା ପ୍ରାୟ ୨୦୦। ଗାଁରୁ ଜଳେଶ୍ୱର ଆସିବାକୁ ପ୍ରାୟ ୨ କି.ମି. ଅଙ୍କାବଙ୍କା ହିଡ଼ଥିବାରୁ କୌଣସି ରିକ୍ସା, ଅଟୋ, ଦମକଳ କିମ୍ବା ଆମ୍ବୁଲାନ୍ସ ଗାଁକୁ ଯାଇପାରେ ନାହିଁ । ଗାଁର ଛାତ୍ରୀଛାତ୍ର ପାଠ ପଢିବା ପାଇଁ ୨କି.ମି. ରାସ୍ତା ଅତିକ୍ରମ କରି ଉନ୍ନୀତ ପ୍ରାଥମିକ ବିଦ୍ୟାଳୟକୁ ଆସିଥାନ୍ତି। ଅନ୍ୟପକ୍ଷରେ ହାଟବଜାର, ଉତ୍ସବ, ବ୍ୟାଙ୍କ ଟ୍ରେଜେରି, ପୋଷ୍ଟ ଅଫିସ୍‌, ଥାନା, ଡାକ୍ତରଖାନା, ତହସିଲ, ମ୍ୟୁନିସିପାଲିଟି କିମ୍ବା କୌଣସି ସରକାରୀ କାର୍ଯ୍ୟରେ ଏହି ଗାଁରୁ ଯିବା କଷ୍ଟକର ହୋଇପଡେ।

୩ ବର୍ଷ ପୂର୍ବେ ଆଇସିଡ଼ିଏସ୍‌ ଯୋଜନାରେ ଏହି ଗାଁକୁ ବିଦ୍ୟୁତ ଆସିଛି । ଗାଁର ସବୁଲୋକେ ହରିଜନ ଓ ଗରିବ ଶ୍ରେଣୀର ହୋଇଥିବାରୁ ନିକଟ ଗାଁର ଧନୀଲୋକଙ୍କ ଜମି ଭାଗଚାଷ କରି ପରିବାର ପ୍ରତିପୋଷଣ କରିଆସିଥାନ୍ତି। ଏପରିକି ଗାଁରେ ବାହାଘର କିମ୍ବା ମହୋତ୍ସବ ହେଲେ ଅନ୍ୟ ଗାଁରୁ ବନ୍ଧୁବାନ୍ଧବ ନ ଆସିପାରୁଥିବାରୁ ସେମାନଙ୍କୁ ଅନ୍ୟସ୍ଥାନରେ ଅସ୍ଥାୟୀ ତମ୍ବୁ ପକାଇ କାର୍ଯ୍ୟକ୍ରମ କରିବାକୁ ପଡ଼ିଥାଏ। ଗାଁରେ ଗଢ଼ି ଉଠିଥିବା ପ୍ରାଥମିକ ବିଦ୍ୟାଳୟ ଆବଶ୍ୟକ ଛାତ୍ରୀଛାତ୍ର ନ ଥିବାରୁ ବନ୍ଦ ହେବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଭିନ୍ନ ଭତ୍ତା ଓ ରାଶନ ପାଇଁ ବୃଦ୍ଧାବୃଦ୍ଧ, ଗାଁ ଲୋକେ ଚାଲି ଚାଲି ଅଲାଲପୁରକୁ ଆସିଥାନ୍ତି। ସ୍ଥାୟୀ କଂକ୍ରିଟ୍‌ ରାସ୍ତାଟିଏ ନ ହେଲେ ଗ୍ରାମର ହରିଶଙ୍କର ଜେନା, କାର୍ତ୍ତିକ ଜେନା, ଚନ୍ଦନ ଜେନା, ରବୀନ୍ଦ୍ର ଜେନା, ଅମ୍ବବତୀ ଜେନା ପ୍ରମୁଖ ଆସନ୍ତା ମ୍ୟୁନିସିପାଲଟି ନିର୍ବାଚନକୁ ସମୂହ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି।

Share