ମତରେ ‘କେଁ ’

ପୋଲିସ ଶାସକ ଦଳକୁ ସୁହାଇଲା ଭଳି କାର୍ଯ୍ୟ କରିବା ଦେଶରେ ଏକ ବିଶୃଙ୍ଖଳିତ ଧାରା ସୃଷ୍ଟି କରିଛି ବୋଲି ନିକଟରେ ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏନ୍‌. ଭି. ରମନାଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ କହିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖାଯାଇ ବିଶେଷକରି ଶାସକ ଦଳର ବିରୋଧୀଙ୍କୁ ଟାର୍ଗେଟ କରାଯାଉଥିବା ଘଟଣାକୁ ଦେଖି ରମନା ଉଦ୍‌ବେଗ ପ୍ରକାଶ କରିଛନ୍ତି। ଦୁଇପାଦ ଆଗକୁ ଯାଇ ଭାରତର ପ୍ରଧାନ ବିଚାରପତି ଆହୁରି କହିଛନ୍ତି ଯେ, କ୍ଷମତାରେ ଭିନ୍ନ ଦଳ ନିର୍ବାଚିତ ହୋଇ ଆସିଲେ ଏହିଭଳି ପୋଲିସ ଅଫିସରଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହେଉଥିବାର ଦୃଷ୍ଟାନ୍ତ ରହିଛି।
ଆଇନ ଓ ଶୃଙ୍ଖଳା ବଜାୟ ରଖିବା ହେଉଛି ପୋଲିସର ପ୍ରାଥମିକ କର୍ତ୍ତବ୍ୟ। ବାସ୍ତବରେ ଯିଏ ଅପରାଧୀ ବା ଅଭିଯୁକ୍ତ ତାଙ୍କୁ ଚିହ୍ନଟ କରି ଆଇନ ଅନୁଯାୟୀ ପଦକ୍ଷେପ ନେବା ବେଳେ ପୋଲିସ କାହା ପ୍ରତି ବାଛବିଚାର କରିବା କଥା ନୁହେଁ। ଦେଖାଯାଉଛି ଯେଉଁ ଦଳ ଶାସନରେ ରହୁଛନ୍ତି ତାଙ୍କ ପ୍ରତି ପୋଲିସର ସ୍ବାଭାବିକ ଆନୁଗତ୍ୟ ରହୁଛି। କିନ୍ତୁ ସବୁ ଘଟଣାରେ ନକାରାତ୍ମକ ରାଜନୈତିକ ହସ୍ତକ୍ଷେପ ରହେ ନାହିଁ। ଏଠାରେ ମହାରାଷ୍ଟ୍ରର ପୁଣେ ସହରରେ ନିକଟରେ ଘଟିଥିବା ଏକ ଘଟଣା ଉଲ୍ଲେଖ କରାଯାଇପାରେ। ଗୋଟିଏ ହିନ୍ଦୁ ଝିଅର ମୁସଲମାନ ପୁଅ ସହିତ ବିବାହ ଆୟୋଜନ ହୋଇଥିଲା। ଏଥିରେ ଉଭୟ ପରିବାରର ସମ୍ମତି ଥିଲା। ହେଲେ ଏହାକୁ ଲଭ୍‌ ଜିହାଦ ଆଖ୍ୟା ଦେଇ ଗୋଟିଏ ଗୋଷ୍ଠୀ ବିବାହ କରାଇ ଦେବ ନାହିଁ ବୋଲି ଘୋଷଣା କଲା। ଘଟଣାରେ ମହାରାଷ୍ଟ୍ରର ଜଣେ ମନ୍ତ୍ରୀ ହସ୍ତକ୍ଷେପ କରି କହିଲେ ଯେ, ବିବାହ ନିଶ୍ଚିତ ହେବ ଓ ପୋଲିସକୁ ସୁରକ୍ଷା ଦେବା ସକାଶେ ନିର୍ଦ୍ଦେଶ ଦେଲେ। ଏଥିରୁ ବୁଝିବାକୁ ହେବ ଯେ, ସବୁ ରାଜନୈତିକ ହସ୍ତକ୍ଷେପ ପୋଲିସକୁ ବେଆଇନ କାର୍ଯ୍ୟରେ ଲିପ୍ତ କରାଏ ନାହିଁ। ଜଣେ ବିଧାୟକ କିମ୍ବା ସାଂସଦ ସବୁବେଳେ ନିଜର ଭୋଟଦାତାଙ୍କ ସମ୍ମୁଖରେ ସଚ୍ଚୋଟ ଓ ନ୍ୟାୟବାନ୍‌ ବୋଲି ଭାବମୂର୍ତ୍ତି ସୃଷ୍ଟି କରିବା ପାଇଁ ଚେଷ୍ଟା କରିଥାନ୍ତି। ସେଥିପାଇଁ ରାଜନୈତିକ ହସ୍ତକ୍ଷେପକୁ ସର୍ବଦା ବିରୋଧ କରିବାର ଯଥାର୍ଥତା ବୁଝାପଡ଼େ ନାହିଁ। ଗଣତାନ୍ତ୍ରିକ ବ୍ୟବସ୍ଥାରେ ରାଜନୈତିକ ବ୍ୟକ୍ତିଙ୍କର ଭୂମିକା ଲୋକାଭିମୁଖୀ ହେବା ପାଇଁ ବାଧ୍ୟ। ଏହାର ଅର୍ଥ ନୁହେଁ ଯେ, ରାଜନୈତିକ ବ୍ୟକ୍ତି ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ହୁଅନ୍ତି ନାହିଁ। କିନ୍ତୁ ଗଣତନ୍ତ୍ରର ସବୁ ଅଙ୍ଗର ଏକ ସ୍ପଷ୍ଟ କର୍ତ୍ତବ୍ୟ ରହିଛି। ପୁଣେ ଘଟଣାରୁ ବୁଝାପଡ଼ୁଛି ଯେ, ସ୍ଥାନୀୟ ପୋଲିସ ତାହାର ମୌଳିକ ଦାୟିତ୍ୱ ପୂରଣ କରି ନ ଥିବାରୁ ମନ୍ତ୍ରୀଙ୍କ ହସ୍ତକ୍ଷେପର ପ୍ରୟୋଜନ ଉଠିଥିଲା। ଅର୍ଥାତ୍‌ ଭାରତରେ ପୋଲିସର ଭୂମିକା ସବୁବେଳେ ଦୁର୍ବଳକୁ ଦମନ କରି ସବଳ ଓ ଧନୀଙ୍କୁ ସମର୍ଥନ କରିଥାଏ। ଅନ୍ୟପଟେ ଭାରତବ୍ୟାପୀ ହାତଗଣତି ସଚ୍ଚୋଟ ପୋଲିସ ଅଫିସର ମଧ୍ୟ ଅଛନ୍ତି। ତଦନ୍ତ କରି କୌଣସି ଅପରାଧୀଙ୍କୁ ନ୍ୟାୟାଳୟ ପଠାଇଲେ ସେଠାରେ ଜାମିନ ଦେବା ପାଇଁ ଜୁଡିସିଆଲ ମାଜିଷ୍ଟ୍ରେଟ କଲମ ଧରି ପ୍ରସ୍ତୁତ ହୋଇ ରହିଥାଆନ୍ତି। ଭାରତର ଯେକୌଣସି ଥାନାରେ ନ୍ୟାୟ ଖୋଜିବାକୁ ଯାଇଥିବା ସାଧାରଣ ନାଗରିକ ଯେଭଳି କୌଣସି ଉପାୟରେ ନ୍ୟାୟ ପାଉ ନାହିଁ, ସେହିଭଳି ନିରୀହ ନାଗରିକଙ୍କୁ ଜାମିନ ଦେବା ଲାଗି ଅଦାଲତର ଅନିଚ୍ଛା ଅଧିକାଂଶ ମାମଲାରେ ସ୍ପଷ୍ଟ ଜଣାପଡ଼େ।
ବହୁ ସମୟରେ ଅଭିଯୋଗ ହୋଇଥାଏ ଯେ, ପୋଲିସ ଠିକ୍‌ ଅପରାଧୀଙ୍କୁ ଧରି କୋର୍ଟରେ ହାଜର କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସେ ନିର୍ଦ୍ଦୋଷରେ ଖଲାସ ହୋଇଯାଇଥାଆନ୍ତି। ଏଭଳି ସ୍ଥଳେ ଜଣେ ସଚ୍ଚୋଟ ପୋଲିସ ଅଫିସରଙ୍କ ମନୋବଳ ଭାଙ୍ଗିଯିବା ସ୍ବାଭାବିକ। ବଡ଼ବଡ଼ିଆଙ୍କ ମାମଲାକୁ ତୁରନ୍ତ ଫଇସଲା କରିବା ଦିଗରେ ଅଧିକାଂଶ ବିଚାରପତି ଯେଭଳି ତତ୍ପର ହୋଇଥାଆନ୍ତି, ସେହିଭଳି ବେଗ ଅନ୍ୟମାନଙ୍କ ପ୍ରତି ସାଧାରଣତଃ ଦେଖିବାକୁ ମିଳି ନ ଥାଏ। ଏଥିସହିତ ଏହା ମଧ୍ୟ ଶୁଣିବାକୁ ମିଳେ ଯେ, ଶାସକ ଦଳର ଚାପ ଓ ଧନୀ ବ୍ୟକ୍ତିଙ୍କ ଅର୍ଥବଳ ଦ୍ୱାରା ଅନେକ ମାମଲାର ଅସଲ ଦିଗକୁ ମୋଡ଼ି ଦିଆଯାଇଥାଏ। ନ୍ୟାୟବ୍ୟବସ୍ଥାରେ ଦେଖାଦେଉଥିବା ଏଭଳି ଅସଙ୍ଗତି ପ୍ରତି ବିଚାରପତିମାନେ ଧ୍ୟାନ ଦେବା ଜରୁରୀ ହୋଇପଡ଼ିଲାଣି। ସେମାନେ ନିଜର ବ୍ୟବହାର ଓ କାର୍ଯ୍ୟରୁ ଉଦାହରଣ ସୃଷ୍ଟି କରିବା କଥା। ଦୁଃଖର ବିଷୟ ତାହା ଏବକା ସମୟରେ ଦେଖିବାକୁ ମିଳୁନାହିଁ। ପ୍ରଧାନ ବିଚାରପତିଙ୍କ ମତକୁ ଖଣ୍ଡନ କରାଯାଇପାରିବ ନାହିଁ, କିନ୍ତୁ ସେଥିରେ ଅନେକ ‘କେଁ’ ନିଶ୍ଚିତ ଭାବେ ରହିଛି।