ଇମ୍ରାନ୍‌ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ

ଇସ୍‌ଲାମାବାଦ,୨୮।୩: ପାକିସ୍ତାନ ବିରୋଧୀ ଦଳ ନେତା ତଥା ପିଏମ୍‌ଏଲ୍‌-ଏନ୍‌ ଅଧ୍ୟକ୍ଷ ଶେହବାଜ ଶରିଫ୍‌ ସୋମବାର ନ୍ୟାଶନାଲ ଆସେମ୍ବ୍ଲିରେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି। ୨୦୧୮ରେ ଇମ୍ରାନ୍‌ କ୍ଷମତାକୁ ଆସିବା ପରେ ସବୁଠୁ କଠିନ ରାଜନୈତିକ ପରୀକ୍ଷାର ସମ୍ମୁଖୀନ ହୋଇଛନ୍ତି। ଦୁଇଦିନର ବିରତି ପରେ ସୋମବାର ପାର୍ଲାମେଣ୍ଟର ବହୁପ୍ରତୀକ୍ଷିତ ଅଧିବେଶନ ଆରମ୍ଭ ହୋଇଥିଲା। ପ୍ରସ୍ତାବ ସପକ୍ଷରେ କେଉଁମାନେ ଅଛନ୍ତି ଛିଡ଼ା ହେବାକୁ ଉପବାଚସ୍ପତି କାସିମ ଖାନ୍‌ ସୁରୀ କହିଥିଲେ। ପ୍ରଥମେ ଶରିଫ୍‌ ଅନାସ୍ଥା ପ୍ରସ୍ତାବ ଆଣିବା ଲାଗି ଅନୁମତି ଦେବାକୁ ଗୃହରେ ପ୍ରସ୍ତାବ ରଖିଥିଲେ। ଏହା ସପକ୍ଷରେ ୧୬୧ ଭୋଟ ମିଳିବା ପରେ ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇଥିଲା। ୩ରୁ ୭ ଦିନ ମଧ୍ୟରେ ପ୍ରସ୍ତାବ ଉପରେ ଭୋଟ ବ୍ୟବସ୍ଥା ରହିଥିବାରୁ ସୁରୀ ମାର୍ଚ୍ଚ ୩୧ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖାଯାଇଛି। ୩୧ ଅପରାହ୍ନରେ ଗୃହରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା କରାଯାଇ ମତଦାନ କରାଯିବ। ଇମ୍ରାନ୍‌ କ୍ଷମତାରେ ରହିବାକୁ ହେଲେ ୩୪୨ ସଦସ୍ୟ ବିଶିଷ୍ଟ ନ୍ୟାଶନାଲ ଆସେମ୍ବ୍ଲିରେ ଅନାସ୍ଥା ପ୍ରସ୍ତାବ ବିରୋଧରେ ୧୭୨ ଭୋଟ ଆବଶ୍ୟକ। ତେବେ ତାଙ୍କ ସହଯୋଗୀ ଦଳଗୁଡ଼ିକର ୨୩ ସଦସ୍ୟ ସମର୍ଥନ ଦେବେ କି ନାହିଁ ସ୍ପଷ୍ଟ କରୁନାହାନ୍ତି। ଏତଦ୍‌ବ୍ୟତୀତ ଶାସକ ଦଳ ତେହରିକ୍‌-ଇ-ଇନ୍‌ସାଫ୍‌ର ଦୁଇ ଡଜନ ସଦସ୍ୟ ଇମ୍ରାନ୍‌ଙ୍କୁ ବିରୋଧ କରୁଥିବାରୁ ରାଜନୈତିକ ଅନିଶ୍ଚିତତା ଜାରି ରହିଛି।

Share