Categories: ଜାତୀୟ

ସ୍ମୃତି ଇରାନୀଙ୍କ ଅଭିଯୋଗ: ମହିଳା ଏମ୍‌ପିମାନଙ୍କୁ ଇସାରାରେ ‘ଫ୍ଲାଇଙ୍ଗ କିସ’ ଦେଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୯।୮: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ଭାଷଣ ଶେଷ କରି ସଂସଦ ବାହାରକୁ ଯିବାବେଳେ ରାହୁଲ ଗାନ୍ଧୀ ମହିଳା ଏମ୍‌ପିମାନଙ୍କୁ ଟାର୍ଗେଟ କରି ଇସାରାରେ ଫ୍ଲାଇଙ୍ଗ କିସ ଦେଇଥିଲେ।
ଲୋକ ସଭାରେ ଅନାସ୍ଥା ପ୍ରସ୍ତାବକୁ ନେଇ ଚାଲିଥିବା ଆଲୋଚନା ମଧ୍ୟରେ ଆଜି ରାହୁଲ ଗାନ୍ଧୀ ଭାଜପା ଉପରେ ବର୍ଷିଛନ୍ତି। ତାଙ୍କ ଭାଷଣ ପୂରଣ କରିବା ପରେ ରାହୁଲ ମଧ୍ୟ ଗୃହରୁ ବାହାରିଥିଲେ। ଏହା ପରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ତାଙ୍କ ବିବୃତ୍ତିରେ ରାହୁଲଙ୍କୁ ଟାର୍ଗେଟ୍‌ କରିଛନ୍ତି। ସ୍ମୃତି ଅଭିଯୋଗ କରିଛନ୍ତି ଯେ, ରାହୁଲ ଗାନ୍ଧୀ ଅଶ୍ଳୀଳ ଇଙ୍ଗିତ କରିଛନ୍ତି। ଗୃହରୁ ବାହାରିବାବେଳେ ରାହୁଲ ଗାନ୍ଧୀ ମହିଳା ଏମ୍‌ପିମାନଙ୍କୁ ଟାର୍ଗେଟ କରି ଇସାରାରେ ଫ୍ଲାଇଙ୍ଗ କିସ ଦେଇଥିଲେ। ମହିଳାଙ୍କ ପ୍ରତି ଏପରି ଆଚରଣ କେବେ ବି ଗୃହରେ ଦେଖାଯାଇ ନାହିଁ। ସେ କେଉଁ ପରିବାରର ଚରିତ୍ର ତାହା ଦେଶ ଦେଖୁଛି। ଭାଜପା ଏମ୍‌ପି ଶୋଭା କରନ୍ଦଲାଜେ ମଧ୍ୟ ଏହି ଘଟଣା ସମ୍ପର୍କରେ ବାଚସ୍ପତି ଓମ ବିର୍ଲାଙ୍କ ନିକଟରେ ଅଭିଯୋଗ କରିଛନ୍ତି।

Share