୨୦ରେ ଏନ୍‌ଏସି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ

ନିମାପଡ଼ା, ୧୭।୮(ବିଚିତ୍ରାନନ୍ଦ ସାହୁ/ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଅଧ୍ୟକ୍ଷା ସସ୍ମିତା ସାହୁଙ୍କ ବିରୋଧରେ ଅନାସ୍ଥା ଭୋଟ ହେବ। ଆସନ୍ତା ୨୦ ତାରିଖରେ ଏହି ଅନାସ୍ଥା ଭୋଟ ହେବ ବୋଲି ପୁରୀ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଚିଠି ନଂ. ୧୧୧୯/ତା ୧୩।୮।୨୪ ରିଖରେ ବିଜ୍ଞପ୍ତି ଜାରି କରିଛନ୍ତି। ଏ ସମ୍ପର୍କରେ ଏନ୍‌ଏସି ଅଧ୍ୟକ୍ଷା, ଉପାଧ୍ୟକ୍ଷ ଏବଂ ୧୧ଜଣ କାଉନସିଲରଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ଆସନ୍ତା ୨୦ ତାରିଖ ପୂର୍ବାହ୍ନ ୧୧ଟାରେ ଏନ୍‌ଏସି କାର୍ଯ୍ୟାଳୟ ସଭାଗୃହରେ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହେବ ଓ ଏହାପରେ ଅନାସ୍ଥା ପ୍ରସ୍ତାବ ପାଇଁ ଭୋଟ ଗ୍ରହଣ କରାଯିବ। ଏଥିନିମନ୍ତେ ସମସ୍ତ ବ୍ୟବସ୍ଥା ସୁଚାରୁ ରୂପେ କରିବା ପାଇଁ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଜିଲାପାଳ କଡ଼ା ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଅନାସ୍ଥା ଭୋଟ୍‌ର ୩ଦିନ ପୂର୍ବରୁ ଏ ସମ୍ପର୍କରେ ଏନ୍‌ଏସି ଅଧ୍ୟକ୍ଷା, ଉପାଧ୍ୟକ୍ଷ, ସମସ୍ତ କାଉନସିଲରଙ୍କୁ ଅବଗତ କରିବାକୁ ନିର୍ଦ୍ଦେଶ ରହିଛି। ଏନ୍‌ଏସି ପକ୍ଷରୁ ଗତ ୧୪ ତାରିଖରେ ଅଧ୍ୟକ୍ଷା, ଉପାଧ୍ୟକ୍ଷ, ସମସ୍ତ କାଉନସିଲରଙ୍କୁ ଚିଠି କରାଯାଇ ଅବଗତ କରାଯାଇଛି। ସ୍ବତନ୍ତ୍ର ବୈଠକ ପାଇଁ ଏନ୍‌ଏସି ପକ୍ଷରୁ ପ୍ରସ୍ତୁତି ଚାଲିଛି। ଅନାସ୍ଥା ଭୋଟ ପାଇଁ ୮ଜଣ କାଉନସିଲରଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇଥିବାବେଳେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିବା କାଉନସିଲରମାନେ ମଧ୍ୟ ସଜବାଜ ହେଉଥିବା ଜଣାପଡ଼ିଛି। ମୋଟ ୧୧ଜଣ କାଉନସିଲରଙ୍କ ମଧ୍ୟରୁ ୮ଜଣ କାଉନସିଲର ଏନ୍‌ଏସି ଅଧ୍ୟକ୍ଷାଙ୍କ ବିରୋଧରେ ଗତ ୧୨ ତାରିଖରେ ପୁରୀ ଜିଲାପାଳଙ୍କ ନିକଟରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ। ଏବେ ଏହି ଅନାସ୍ଥା ଭୋଟକୁ କେନ୍ଦ୍ରକରି ନିମାପଡ଼ା ପୌରାଞ୍ଚଳରେ ଏବେ ରାଜନୈତିକ ବାତାବରଣ ବେଶ୍‌ ସରଗରମ ହୋଇଉଠିଛି।

Share