କରାଚିରେ ଭଙ୍ଗା ଗଲା ୧୫୦ ବର୍ଷର ହିନ୍ଦୁ ମନ୍ଦିର, ଘଟଣାକୁ ଏଡାଇଲେ ମେୟର

କରାଚି,୧୭।୭: ପାକିସ୍ତାନର କରାଚିରେ ପ୍ରାୟ ୧୫୦ ବର୍ଷ ପୁରୁଣା ହିନ୍ଦୁ ମନ୍ଦିରକୁ ଭାଙ୍ଗି ଦିଆଯାଇଛି। ଏହା ବହୁ ପୁରାତନ ଓ ଦୁର୍ଘଟଣା ହେବାର ସ୍ଥିତିରେ ଥିବାରୁ ଏହାକୁ ଭାଙ୍ଗି ଦିଆଯାଇଥିବା କୁହାଯାଇଛି। ମନ୍ଦିର ଭାଙ୍ଗିବାର ଖବର ଜଣାପଡିବା ପରେ ପାକିସ୍ତାନର ସିନ୍ଧ ସରକାର କହିଛନ୍ତି ଯେ ଏହା ଏକ ସଂଖ୍ୟାଲଘୁ ସମ୍ପ୍ରଦାୟର ହୋଇଥିଲେ ମଧ୍ୟ ପୂଜାପାଠ ସ୍ଥାନ ଭାଙ୍ଗି କୌଣସି ବ୍ୟବସାୟିକ କୋଠା ନିର୍ମାଣ କରିବାକୁ ଅନୁମତି ଦେବୁ ନାହିଁ। ସୂଚନାଯୋଗ୍ୟ, ମନ୍ଦିରଟି ଲୁଚାଛପା ଭାବେ ଭାଙ୍ଗି ନ ଥିଲା ବରଂ ପୋଲିସ ଫୋର୍ସଙ୍କ ଉପସ୍ଥିତିରେ ଏହା ଭଙ୍ଗା ଯାଇଥିଲା।
କରାଚିର ସୋଲଜର ବଜାରରେ ଅବସ୍ଥିତ ମାରି ମାତା ମନ୍ଦିରକୁ ଶୁକ୍ରବାର ବିଳମ୍ବିତ ରାତିରେ ପୋଲିସ ଉପସ୍ଥିତିରେ ବୁଲଡୋଜର ସାହାଯ୍ୟରେ ଭାଙ୍ଗି ଦିଆଯାଇଥିଲା। ଏହା ହିନ୍ଦୁ ସମ୍ପ୍ରଦାୟକୁ କ୍ରୋଧିତ କରିଛି। ସେମାନେ ତୁରନ୍ତ ପାକିସ୍ତାନ-ହିନ୍ଦୁ ପରିଷଦ, ସିନ୍ଧ ମୁଖ୍ୟମନ୍ତ୍ରୀ ସୟଦ ମୁରାଦ ଅଲି ଶାହା ଏବଂ ସିନ୍ଧ ପୋଲିସର ଇନ୍ସପେକ୍ଟର ଜେନେରାଲଙ୍କୁ ନିବେଦନ କରିଛନ୍ତି।

Share