ଅର୍ଥ ମଞ୍ଜୁର ପରେ ନିର୍ମାଣ ହେଉନି ବିଶ୍ରାମାଗାର

ଭଦ୍ରକ ଅଫିସ, ୧୩ା୫: ଯାତ୍ରୀ ବିଶ୍ରାମାଗାର ନିର୍ମାଣ ପାଇଁ ଅର୍ଥ ମହଜୁଦ ରହି ମଧ୍ୟ ପ୍ରଶାସନିକ ଅଧିକାରୀଙ୍କ ଇଚ୍ଛା ଶକ୍ତିର ଅଭାବ ଯୋଗୁଁ ବିଶ୍ରାମାଗାର ନିର୍ମାଣ ହୋଇପାରୁନାହିଁ ା ଏପରି ବ୍ୟତିକ୍ରମ ସୃଷ୍ଟି ହୋଇଛି ଭଦ୍ରକ ଜିଲା ବନ୍ତ ବ୍ଲକ ଓଡ଼ଙ୍ଗ ପଞ୍ଚାୟତ ଅର୍ନ୍ତଗତ ଜାମବଣୀ ଛକରେ। ଆଗରପଡ଼ା-ବରପଦା ରାସ୍ତାର ଜାମମଣୀ ଛକଠାରେ ପୂର୍ବରୁ ଥିବା ବିଶ୍ରାମାଗାରଟି ଭଗ୍ନ ଅବସ୍ଥାରେ ରହିଛି। ଯାତ୍ରୀମାନେ ବିଶ୍ରାମ ନେବା ପାଇଁ ଭିତରକୁ ପଶିବାକୁ ଭୟ କରୁଛନ୍ତି। ଖରା, ବର୍ଷାରେ ଠିଆହୋଇ ବସ୍‌କୁ ଅପେକ୍ଷା କରୁଛନ୍ତି। ବାରମ୍ବାର ଏ ବିଷୟରେ ସ୍ଥାନୀୟ ବିଧାୟକଙ୍କଠାରୁ ଆରମ୍ଭ କରି ଜିଲାପାଳ ଏବଂ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କେହି ଦୃଷ୍ଟି ଦେଉନାହାନ୍ତି। ୨୦୨୦ରେ ପୂର୍ବତନ ଏମ୍‌ପି ସ୍ବର୍ଗତ ଅର୍ଜ୍ଜୁନ ଚରଣ ସେଠୀଙ୍କ ଏମ୍‌ପି ପାଣ୍ଠିରୁ ଅନୁମୋଦିତ ୪ଲକ୍ଷ ଟଙ୍କାର ଅନୁଦାନ ରାଶିରେ ଏଠାରେ ଭଗ୍ନ ଅବସ୍ଥାରେ ଥିବା ବିଶ୍ରାମାଗାରଟିକୁ ଭାଙ୍ଗି ନୂତନ ବିଶ୍ରାମାଗାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ବନ୍ତ ବ୍ଳକ ସହକାରୀ ଯନ୍ତ୍ରୀ ସୂଚନା ଦେଇଥିଲେ। ୩ବର୍ଷ ବିତିଯାଇଥିଲେ ସୁଦ୍ଧା ଏହାର କାର୍ଯ୍ୟ ଆରମ୍ଭରୁ ଅଟକିଥିବା ଜଣାପଡ଼ିଛି। ବିଶ୍ରାମାଗାର ନିର୍ମାଣ ହେଉଥିବା ଜାଗାଟି ଭଦ୍ରକ ବ୍ଲକ ଅଧୀନରେ ଥିବାରୁ ବନ୍ତ ବ୍ଲକ ଅନୁଦାନ ରାଶି ଏହା ନିର୍ମାଣ ହେବାରେ ବାଧକ ସାଜିଛି। ଯାହାଫଳରେ ଅର୍ଥ ମହଜୁଦ ଥାଇ ମଧ୍ୟ ବିଶ୍ରାମାଗାର ନିର୍ମାଣ ହୋଇପାରୁନାହିଁ। ପ୍ରଶାସନିକ ଅଧିକାରୀଙ୍କ ଇଚ୍ଛାଶକ୍ତି ଅଭାବରୁ ଏହି ବିବାଦର ସମାଧାନ ଏପର୍ଯ୍ୟନ୍ତ ହୋଇପାରୁନାହିଁ। ସମସ୍ତ ବିବାଦର ସମାଧାନ କରି ଶୀଘ୍ର ଯାତ୍ରୀ ବିଶ୍ରାମାଗାର ନିର୍ମାଣ କରିବାକୁ ଓଡ଼ଙ୍ଗ ପଞ୍ଚାୟତର ପୂର୍ବତନ ସରପଞ୍ଚ କିଶୋର କିଙ୍କର ପଢ଼ିଆରୀ ଦାବି କରିଛନ୍ତି।