Categories: ଜାତୀୟ

ରାମଦେବଙ୍କୁ ମିଳିଲାନି ଆଶ୍ୱସ୍ତି, ଯୋଗ କ୍ୟାମ୍ପ ପାଇଁ ଦେବାକୁ ପଡିବ ସର୍ଭିସ୍‌ ଟ୍ୟାକ୍ସ

ନୁଆଦିଲ୍ଲୀ,୨୧।୪: ପତଞ୍ଜଳି ଯୋଗପୀଠ ସେବା ଟ୍ରଷ୍ଟକୁ ପୁଣି ଲାଗିଛି ବଡ ଝଟକା। ସୁପ୍ରିମକୋର୍ଟ ଏକ ଅପିଲ୍‌ର ଶୁଣାଣି ସମୟରେ ଟ୍ରିବ୍ୟୁନାଲର ରାୟକୁ ସମର୍ଥନ କରିଛନ୍ତି। କୋର୍ଟ କହିଛନ୍ତି ଆବାସିକ ତଥା ଅଣ-ଆବାସିକ ଯୋଗ ଶିବିର ଆୟୋଜନ ପାଇଁ ପ୍ରବେଶ ଶୁଳ୍କ ଆଦାୟ କରୁଥିବାରୁ ସଂଗଠନକୁ ସେବା ଟିକସ ଦେବାକୁ ପଡିବ।

ଜଷ୍ଟିସ ଅଭୟ ଏସ. ଓକା ଏବଂ ଉଜଲ ଭୁୟାନଙ୍କ ଏକ ବେଞ୍ଚ କଷ୍ଟମ, ଏକ୍ସାଇଜ ଏବଂ ସର୍ଭିସ ଟ୍ୟାକ୍ସ ଆପିଲେଟ ଟ୍ରିବ୍ୟୁନାଲ (ସିଇଏସ୍‌ଟିଏଟି) ର ଆହ୍ଲାବାଦ ବେଞ୍ଚର ଅକ୍ଟୋବର ୫, ୨୦୨୩ ନିଷ୍ପତ୍ତିରେ ହସ୍ତକ୍ଷେପ କରିବାକୁ ମନା କରିଦେଇଥିଲେ।

ଟ୍ରଷ୍ଟର ଆବେଦନକୁ ଖାରଜ କରିବାବେଳେ ବେଞ୍ଚ କହିଛନ୍ତି, “ଟ୍ରିବ୍ୟୁନାଲ ଠିକ ଭାବରେ କହିଛନ୍ତି ଯେ ଶିବିରରେ ଯୋଗ ଏକ ସେବା ଅଟେ। ଆମେ ଏହି ଆଦେଶରେ ହସ୍ତକ୍ଷେପ କରିବାର କୌଣସି କାରଣ ଖୋଜୁ ନାହୁଁ।”

ଟ୍ରିବ୍ୟୁନାଲ ଏହାର ରିପୋର୍ଟରେ କହିଥିଲା ଯେ ପତଞ୍ଜଳି ଯୋଗପୀଠ ଟ୍ରଷ୍ଟ ଦ୍ୱାରା ଆୟୋଜିତ ଯୋଗ ଶିବିର, ଅଂଶଗ୍ରହଣ ପାଇଁ ଫି ଆଦାୟ କରୁଛି। ଯାହା ସ୍ବାସ୍ଥ୍ୟ ଏବଂ ଫିଟନେସ ସେବା ବର୍ଗରେ ଆସିଥାଏ ଏବଂ ଏଥିପାଇଁ ସେବା ଟିକସ ଦେବାକୁ ପଡିଥାଏ।

Share