Categories: ଜାତୀୟ

‘ନ୍ୟାୟ ନୁହେଁ, ମୁଁ ଚାହେଁ ମୋ ଝିଅ ଘରକୁ ଚାଲି ଆସୁ’

ନୂଆଦିଲ୍ଲୀ,୧।୨: ଜଣେ ୨୦ ବର୍ଷୀୟା ମହିଳାଙ୍କୁ ଅପହରଣ, ବଳାତ୍କାର ପରେ ମାଡ଼ ମରାଯିବା ସହ ପରେଡ୍‌ କରାଇଥିଲେ ପଡ଼ୋଶୀମାନେ। ୩ ବର୍ଷୀୟ ଛୁଆର ମା’ ଏବଂ ତାଙ୍କ ପରିବାର ଏବେ ଧିରେ ଧିରେ ସୁସ୍ଥ ହେଉଛନ୍ତି। ଛୁଆର ଦାୟିତ୍ୱ ନେବା ପାଇଁ ସେ ମାନସିକ ସ୍ତରରେ ସୁସ୍ଥ ନାହାନ୍ତି ବୋଲି ତାଙ୍କ ପରିବାର ପକ୍ଷରୁ କୁହାଯାଇଛି।

ପୀଡ଼ିତାଙ୍କୁ ଗତ ବୁଧବାର ଅପହରଣ କରି ଦିଲ୍ଲୀର ଶାହଦାରା ଅଞ୍ଚଳରେ ଏକ ରୁମରେ ବନ୍ଦ ରଖି ବଳାତ୍କାର କରାଯାଇଥିଲା। ତା’ ପରେ ଲଣ୍ଡା କରି, ମୁହଁରେ କାଳି ବୋଳି ଏବଂ ବେକରେ ଚପଲର ମାଳ ପକାଇ ରାସ୍ତାରେ ପରେଡ୍‌ କରାଯାଇଥିଲା। ଏଭଳି ଘୃଣ୍ୟ ଅପରାଧ ପଛରେ କାରଣ ଥିଲା, ସେ ଜଣେ ୧୪ ବର୍ଷୀୟ ନାବାଳକଙ୍କ ପ୍ରେମ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ। ଏଥିଯୋଗୁ ନାବାଳକ ଗତ ବର୍ଷ ନଭେମ୍ବରରେ ଆତ୍ମହତ୍ୟା କରିଥିଲେ।

“ତାଙ୍କ ପରିବାର ପୁଅର ମୃତ୍ୟୁ ପାଇଁ ମୋ ଭଉଣୀଙ୍କୁ ଦାୟୀ କରୁଛନ୍ତି” ବୋଲି ପୀଡ଼ିତାଙ୍କ ଭଉଣୀ କହିଛନ୍ତି।

ତାଙ୍କ ଆକ୍ରମଣ, ବଳାତ୍କାର କରିଥିବା ଘଟଣାରେ ଉକ୍ତ ନାବାଳକଙ୍କ ପରିବାର ସଦସ୍ୟ ସମ୍ପୃକ୍ତ ଥିଲେ। ଏହି ଘଟଣାରେ ଏପର୍ଯ୍ୟନ୍ତ ୮ ମହିଳାଙ୍କ ସମେତ ୧୨ ଜଣଙ୍କୁ ଗିରଫ କରାଯାଇଛି।

“କୌଣସି ଝିଅ କିମ୍ବା ଯୁବତୀଙ୍କ ସହ ଏଭଳି ନ ଘଟୁ। କୌଣସି ରାସ୍ତା କିମ୍ବା ଗଳିରେ ଏମିତି ନ ହେଉ। ତାଙ୍କୁ ଯେଉଁ ଭଳି ମାଡ଼ ଦିଆଗଲା, ମାନସିକ ନିର୍ଯାତନା ଦିଆଗଲା, ତାହା କୌଣସି ଝିଅ ସହ ଘଟିବା ଉଚିତ ନୁହେଁ। ମୁଁ ନ୍ୟାୟ କଥା ଚିନ୍ତା କରୁ ନାହିଁ। ମୁଁ ଚାହେଁ, ମୋ ଝିଅ ଘରକୁ ଫେରି ଆସୁ। ଭାଜପାରୁ ଗୌତମ ଗମ୍ଭୀର ଓ କଂଗ୍ରେସରୁ ଅନିଲ ଚୌଧାରୀ ଆମ ଘରକୁ ଆସିଥିଲେ। ମାଗିବା ପୂର୍ବରୁ ଆମକୁ ଦୁଇ ମାସ ଲାଗି ରାଶନ ଦିଆଯାଇଛି। ଆମକୁ ସମର୍ଥନ ଓ ସହାୟତା ମିଳୁଛି। କିନ୍ତୁ ଯଦି ସେହି ସମୟରେ ଲୋକେ ସହାୟତା କରିଥାନ୍ତେ, ତେବେ ଏହା କଦାପି ଘଟି ନ ଥାନ୍ତା” ବୋଲି ପୀଡ଼ିତାଙ୍କ ପାରାଲାଜାଡ୍‌ ବାପା କହିଛନ୍ତି।

Share