Categories: ଜାତୀୟ

ଦ୍ୱିତୀୟ ଲହରରେ ଅକ୍ସିଜେନ ଅଭାବରୁ ୟୁପିରେ କାହାରି ମୃତ୍ୟୁ ହୋଇନାହିଁ

ଲକ୍ଷ୍ନୌ,୧୬।୧୨: କୋଭିଡ୍‌-୧୯ର ଦ୍ୱିତୀୟ ଲହର ବେଳେ ଉତ୍ତରପ୍ରଦେଶ(ୟୁପି)ରେ ଅକ୍ସିଜେନ ଅଭାବରୁ କାହାରି ମୃତ୍ୟୁ ହୋଇନାହିଁ। ବିଧାନସଭାରେ ଏଭଳି ତଥ୍ୟ ରଖିଛନ୍ତି ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ସରକାର। ରାଜ୍ୟ ସରକାରଙ୍କ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି ବିରୋଧୀ।

ପ୍ରଶ୍ନକାଳରେ କଂଗ୍ରେସ ବିଧାୟକ ଦୀପକ ସିଂ ପ୍ରଶ୍ନ କରିଥିଲେ ଯେ, ରାଜ୍ୟରେ ଅକ୍ସିଜେନ ଅଭାବରୁ କୋଭିଡ୍‌ ଆକ୍ରାନ୍ତଙ୍କ ମୃତ୍ୟୁ ନେଇ ଅନେକ ମନ୍ତ୍ରୀ ପତ୍ର ଲେଖିଥିଲେ। ଏହା ଛଡ଼ା ସମାନ ଅଭିଯୋଗ ଆଣିଥିଲେ ଅନେକ ଏମ୍‌ପି। ଅକ୍ସିଜେନ ଅଭାବରୁ ବହୁ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି।ଏହି କାରଣରୁ ପୂରା ରାଜ୍ୟରେ କେତେ ସଂଖ୍ୟାରେ ମୃତ୍ୟୁ ହୋଇଛି, ତାହା ଉପରେ ସରକାରଙ୍କ ପାଖରେ କିଛି ତଥ୍ୟ ଅଛି କି?

ଏହାର ଉତ୍ତରରେ ସ୍ବାସ୍ଥ୍ୟମନ୍ତ୍ରୀ ଜୟ ପ୍ରତାପ ସିଂ କହିଛନ୍ତି, ମହାମାରୀର ଦ୍ୱିତୀୟ ଲହରରେ ୨୨,୯୧୫ ଜଣ କୋଭିଡ୍‌ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା। କିନ୍ତୁ ଅକ୍ସିଜେନ ଅଭାବରୁ ରାଜ୍ୟରେ କୌଣସି ମୃତ୍ୟୁ ହୋଇଥିବା ରିପୋର୍ଟ ହୋଇନାହିଁ। କୋଭିଡ୍‌ ଯୋଗୁ ହସ୍ପିଟାଲରେ ପ୍ରାଣ ହରାଇଥିବା ଆକ୍ରାନ୍ତଙ୍କୁ ଡାକ୍ତର ମୃତ୍ୟୁ ପ୍ରମାଣପତ୍ର ଦେଇଛନ୍ତି। ମହାମାରୀ ସମୟରେ ଲୋକେ ଅନ୍ୟ ରୋଗରେ ପ୍ରାଣ ହରାଇଥିଲେ। ରାଜ୍ୟର ଯେଉଁ ସ୍ଥାନରେ ଅକ୍ସିଜେନ ଅଭାବ ଦେଖାଦେଇଥିଲା, ଅନ୍ୟ ରାଜ୍ୟରୁ ସେଠାକୁ ଯୋଗାଣ କରାଯାଇଥିଲା।

Share