ଦେଶର ଏହି ୫ଟି ରାଜ୍ୟରେ କରୋନାଜନିତ ହୋଇନାହିଁ ମୃତ୍ୟୁ

ନୂଆଦିଲ୍ଲୀ,୨୦।୭: ଭାରତରେ କରୋନା ସଙ୍କଟ ଦିନକୁ ଦିନ ଉଦ୍‌ବେଗଜନକ ସ୍ଥିତି ହେବାରେ ଲାଗିଛି। ଇତିମଧ୍ୟରେ ଭାରତରେ କୋଭିଡ-୧୯ ଜନିତ ମୃତ୍ୟୁ ହାର ପ୍ରଥମ ଥର ପାଇଁ ୨.୫ ପ୍ରତିଶତ ତଳକୁ ଖସି ଆସିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ସାରା ବିଶ୍ୱରୁ ଭାରତର ମୃତ୍ୟୁ ହାର କମ୍‌ ରହିଛି। ଭାରତରେ ୨୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ରହିଛି ଯେଉଁଠାରେ ମୃତ୍ୟୁ ହାର ଜାତୀୟ ହାର ୨.୪୯% ରୁ କମ୍‌ ରହିଛି। ଜୁନ ୨ରେ ଭାରତରେ କରୋନା ମୃତ୍ୟୁ ହାର ୨.୮୨% ରହିଥିବା ବେଳେ ଜୁଲାଇ ୧୦ରେ ଏହା ତଳକୁ ଖସି ୨.୭୨% ରହିଥିଲା। ତେବେ ବିଶ୍ୱର ସର୍ବାଧିକ ମୃତ୍ୟୁ ହାର ୟେମେନ, ବେଲଜିୟମ୍‌ ଓ ୟୁନାଇଟେଡ୍‌ କିଙ୍ଗଡମ୍‌ରେ ରେକର୍ଡ କରାଯାଇଛି। କିନ୍ତୁ ଦେଶର ଏଭଳି ୫ଟି ରାଜ୍ୟ ରହିଛି ଯେଉଁଠାରେ ଏପର୍ଯ୍ୟନ୍ତ କରୋନା ଯୋଗୁ ଜଣଙ୍କର ବି ମୃତ୍ୟୁ ହୋଇନାହିଁ।
ମଣିପୁର: ଉତ୍ତର-ପୂର୍ବ ମଣିପୁରରେ ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମୋଟ ୧,୮୯୧ରେ ପହଞ୍ଚିଛି। ସବୁଠାରୁ ଆଶ୍ୱସ୍ତିକର କଥା ହେଉଛି ରାଜ୍ୟରେ ପ୍ରାୟ ୨ହଜାର ମାମଲା ଚିହ୍ନଟ ହୋଇଥିଲେ ମଧ୍ୟ ଏଠାରେ ଏପର୍ଯ୍ୟନ୍ତ କାହାରି ଜୀବନ ଯାଇନାହିଁ। ୧,୮୯୧ କେରାନା ରୋଗୀଙ୍କ ମଧ୍ୟରୁ ୭୦୯ ଚିକିତ୍ସିତ ହେଉଥିବା ବେଳେ ୧,୧୯୨ ସୁସ୍ଥ ହୋଇଛନ୍ତି। ମହାମାରୀ କରୋନା ଭାଇରସ୍‌ ରାଜ୍ୟର ୧୭ଟି ଗାଁରେ ବ୍ୟାପିଥିବା ଜଣାପଡ଼ିଛି।
ନାଗାଲାଣ୍ଡ: ମଣିପୁରର ପଡୋଶୀ ନାଗାଲାଣ୍ଡରେ ଏପର୍ଯ୍ୟନ୍ତ ପାଖାପାଖି ୧୦୦୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୯୭୮ଆକ୍ରାନ୍ତଙ୍କ ମଧ୍ୟରୁ ୪୩୨ଜଣ ଚିକିତ୍ସିତ ହେଉଥିବା ବେଳେ ୫୪୬ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ନାଗାଲାଣ୍ଡର ୧୦ଟି ଜିଲା ଏବେ କରୋନା କବଳରେ।
ସିକ୍କିମ: ସିକ୍କିମ ହେଉଛି ଦେଶର ଏକମାତ୍ର ରାଜ୍ୟ ଯେଉଁଠାରେ ଦୀର୍ଘ ସମୟ ଧରି କରୋନାର ଗୋଟିଏ ବି ମାମଲା ଚିହ୍ନଟ ହୋଇ ନ ଥିଲା। ମେ ୨୩ରେ ଏଠାରେ ପ୍ରଥମ ମାମଲା ଚିହ୍ନଟ ହୋଇଥିଲା। ବର୍ତ୍ତମାନ ଉକ୍ତ ରାଜ୍ୟରେ ୨୭୫ କରୋନା ଆକ୍ରାନ୍ତ ରହିଛନ୍ତି। ସମସ୍ତଙ୍କ ସ୍ବସ୍ଥ୍ୟାବସ୍ଥା ସ୍ଥିର ଥିବା କୁହାଯାଉଛି। ଏଠାରେ ୧୮୫ଜଣଙ୍କ ଚିକିତ୍ସା ଚାଲିଥିବା ବେଳେ ୯୦ସୁସ୍ଥ ହୋଇଛନ୍ତି। ଅନ୍ୟପଟେ କରୋନା ପଜିଟିଭ୍‌ ସୈନ୍ୟଙ୍କୁ ଉକ୍ତ ରାଜ୍ୟରେ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି। କାରଣ ସିକ୍କିମରେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ସେନା ଓ ପାରାମିଲିଟାରୀ ଫୋର୍ସର ଯବାନ ରହିଥିବା ଜଣାପଡ଼ିଛି।
ମିଜୋରାମ: ମିଜୋରାମରେ ମଧ୍ୟ କରୋନାଜନିତ ଜଣଙ୍କର ବି ମୃତ୍ୟୁ ଘଟିନାହିଁ। ଉକ୍ତ ରାଜ୍ୟରେ ମୋଟ ୨୮୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧୧୭ ଚିକିତ୍ସିତ ହେଉଥିବା ବେଳେ ୧୬୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଆଣ୍ଡାମାନ: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ମୋଟ ୧୯୮ଟି କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧୪୫ଜଣ ସୁସ୍ଥ ହୋଇଥିବା ବେଳେ ୫୩ଜଣ ଚିକିତ୍ସିତ ହେଉଥିବା ସୂଚନା ରହିଛି। ଦେଶର ସର୍ବନିମ୍ନ କରୋନା ମାମଲା ଥିବା ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ହେଉଛି ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ। ଏଠାରେ କରୋନାଜନିତ ଜଣଙ୍କର ବି ମୃତ୍ୟୁ ଘଟି ନ ଥିବା ସୂଚନା ରହିଛି।

Share