Categories: ଜାତୀୟ

ଜୁଲାଇ ୧୧ପର୍ଯ୍ୟନ୍ତ ଅଯୋଗ୍ୟ ଘୋଷିତ ହୋଇପାରିବେନି ବିଦ୍ରୋହୀ ବିଧାୟକ

ନୂଆଦିଲ୍ଲୀ,୨୭।୬: ମହାରାଷ୍ଟ୍ରରେ ଜାରି ରହିଥିବା ରାଜନୈତିକ ସଙ୍କଟ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଇତିମଧ୍ୟରେ ମହାରାଷ୍ଟ୍ର ସରକାରରେ ଜଣେ ମନ୍ତ୍ରୀ ତଥା ଶିବସେନା ନେତା ଏକନାଥ ସିନ୍ଧେ ଏବଂ ଅନ୍ୟ ୧୫ଜଣ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ନୋଟିସ ବିରୋଧରେ କରାଯାଇଥିବା ଆବେଦନର ଶୁଣାଣି ସୋମବାର ସୁପ୍ରିମକୋର୍ଟରେ ହୋଇଛି। ଯେଉଁଥିରେ ମହାରାଷ୍ଟ୍ରର ଉପବାଚସ୍ପତି ନରହରୀ ଜିର୍‌ୱାଲଙ୍କୁ ଝଟ୍‌କା ଲାଗିଛି। ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ମହାରାଷ୍ଟ୍ରର ଉପବାଚସ୍ପତି, ରାଜ୍ୟ ବିଧାନସଭା ସଚିବ, କେନ୍ଦ୍ର ଏବଂ ଅନ୍ୟମାନଙ୍କୁ ନୋଟିସ ଜାରି କରିଛନ୍ତି। ଏଥିସହ ଶିବସେନା ନେତା ଅଜୟ ଚୌଧୁରୀ, ସୁନୀଲ ପ୍ରଭୁଙ୍କୁ ମଧ୍ୟ ସୁପ୍ରିମକୋର୍ଟ ନୋଟିସ ଜାରି କରି ସେମାନଙ୍କୁ ୫ଦିନ ମଧ୍ୟରେ ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୧ରେ ହେବ ବୋଲି ଜଣାପଡ଼ିଛି। ତେବେ ଉକ୍ତ ଦିନ ପର୍ଯ୍ୟନ୍ତ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିପାରିବେ ନାହିଁ ଉପବାଚସ୍ପତି। ଜୁଲାଇ ୧୧ ତାରିଖ ସନ୍ଧ୍ୟା ୫ଟା ୩୦ ସୁଦ୍ଧା ଜବାବ ଦେବାକୁ ସୁପ୍ରିମକୋର୍ଟ ସମୟ ବୃଦ୍ଧି କରିଛନ୍ତି। ଅନ୍ୟପକ୍ଷେ ବିଦ୍ରୋହୀ ବିଧାୟକ କୋର୍ଟରେ କେତେକ ଯୁକ୍ତି ବାଢ଼ିଥିଲେ। ତେବେ ସମସ୍ତଙ୍କ କଥାକୁ ବିଚାର କରି କୋର୍ଟ କହିଛନ୍ତି ଯେ, ଯେତେବେଳେ ବିଦ୍ରୋହୀ ବିଧାୟକମାନେ ତାଙ୍କ ବିରୋଧରେ କୌଣସି ଅନାସ୍ଥା ନୋଟିସ ଦେଇଥିଲେ, ସେତେବେଳେ ଏହାକୁ ଗୃହରେ ନ ରଖି ଉପବାଚସ୍ପତି କିପରି ପ୍ରତ୍ୟାଖ୍ୟାନ କରିଥିଲେ। ଉପବାଚସ୍ପତିଙ୍କ ଭୂମିକା ସନ୍ଦେହଜନକ, ତେଣୁ ସେ ବିଦ୍ରୋହୀ ବିଧାୟକଙ୍କୁ କିପରି ଅଯୋଗ୍ୟ ଘୋଷିତ କରିପାରିବେ ବୋଲି ବିଦ୍ରୋହୀ ବିଧାୟକମାନେ କୋର୍ଟରେ କହିଛନ୍ତି।

Share