‘ଡେପୁଟେଶନ ଅବଧି ସରିଲା ପରେ ନିର୍ଦ୍ଦେଶକ ରହିବାର ଅଧିକାର ନାହିଁ’

କଟକ ଅଫିସ,୨୨ା୧୨: ୫ ବର୍ଷ ଡେପୁଟେଶନ ଅବଧି ପୂରିଯିବା ପରେ କେନ୍ଦ୍ର ସରକାରଙ୍କ ଅଧୀନ ରାଷ୍ଟ୍ରୀୟ ପୁନର୍ବାସ ପ୍ରଶିକ୍ଷଣ ଓ ଅନୁସନ୍ଧାନ ସଂସ୍ଥାନ (ନିର୍‌ତାର)ର ନିର୍ଦ୍ଦେଶକ ପଦରେ ରହିବାର ଅଧିକାର ଡା. ଶକ୍ତି ପ୍ରସାଦ ଦାସଙ୍କର ନାହିଁ। ଏନେଇ ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଓ ବିଚାରପତି ଏ. କେ. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ସୋମବାର ସ୍ପଷ୍ଟ କରିଛନ୍ତି। ଡା. ଦାସଙ୍କ ପକ୍ଷରୁ ଦାଖଲ ରିଟ୍‌ ଅପିଲକୁ ଖାରଜ କରିଦେଇ ଖଣ୍ଡପୀଠ ପୂର୍ବରୁ ବିଚାରପତି ବି.ଆର୍‌. ଷଡ଼ଙ୍ଗୀଙ୍କ ଦ୍ୱାରା ପ୍ରଦତ୍ତ ରାୟକୁ କାଏମ ରଖିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ, ଡା. ଦାସ ୨୦୧୬ ଜାନୁୟାରୀ ୨୮ରେ କଟକ ଜିଲା ଓଲଟପୁରଠାରେ ଥିବା ଏସ୍‌ଭି ନିର୍‌ତାରର ନିର୍ଦ୍ଦେଶକ ପଦରେ ତିନିବର୍ଷ ପାଇଁ ଡେପୁଟେଶନ ଭିତ୍ତିରେ ଯୋଗଦେଇଥିଲେ। ପରେ କେନ୍ଦ୍ର ସରକାର ଡେପୁଟେଶନ ଅବଧିକୁ ଆଉ ଦୁଇବର୍ଷ ବଢ଼ାଇ ଦେଇଥିଲେ। ମୋଟ୍‌ ୫ ବର୍ଷ ଡେପୁଟେଶନ ସମୟ ୨୦୨୧ ଜାନୁୟାରୀ ୨୭ରେ ପୂରଣ ହୋଇଯାଇଥିବାରୁ କାର୍ଯ୍ୟକାଳ ପୁଣି ୨ ବର୍ଷ ବୃଦ୍ଧି କରିବା ପାଇଁ ସେ ଦରଖାସ୍ତ କରିଥିଲେ। ମାତ୍ର ତାହା ନ କରି ସରକାର ନିୟମିତ ନିର୍ଦ୍ଦେଶକ ନିଯୁକ୍ତି ପର୍ଯ୍ୟନ୍ତ ତାଙ୍କୁ ସାମୟିକ ଭାବେ ଦାୟିତ୍ୱ ତୁଲାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ନିୟମିତ ନିର୍ଦ୍ଦେଶକ ନିଯୁକ୍ତି ପାଇଁ ସର୍ବଭାରତୀୟ ସ୍ତରରେ ବିଜ୍ଞାପନ ପ୍ରକାଶ କରି ଦରଖାସ୍ତ ଆହ୍ବାନ କରିଥିଲେ। ମାତ୍ର ବିଜ୍ଞାପନକୁ ରଦ୍ଦ କରି ତାଙ୍କ ଡେପୁଟେଶନ ଅବଧି ଆଉ ୨ ବର୍ଷ ବଢ଼ାଇଦେବା ପାଇଁ ଆବେଦନ କରି ଡା. ଦାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଗତ ନଭେମ୍ବର ୧୬ରେ ବିଚାରପତି ଷଡ଼ଙ୍ଗୀ ଆବେଦନର ଶୁଣାଣି କରି ଏହାକୁ ଖାରଜ କରିଦେଇଥିଲେ। ତାଙ୍କ ରାୟ ବିରୋଧରେ ଡା. ଦାସ ରିଟ୍‌ ଅପିଲ ଦାଖଲ କରିଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଏସଜି ପ୍ରସନ୍ନ କୁମାର ପାଢ଼ୀ କୋର୍ଟଙ୍କୁ ଅବଗତ କରାଇଥିଲେ ଯେ, ବିଜ୍ଞାପନ ଅନୁସାରେ ନୂତନ ନିର୍ଦ୍ଦେଶକ ନିଯୁକ୍ତି ପାଇଁ କାର୍ଯ୍ୟ ଚାଲିଛି, ଶୀଘ୍ର ଏହି ପ୍ରକ୍ରିୟା ଶେଷ ହେବ। ଆବେଦନକାରୀ ଡା. ଦାସଙ୍କ ପକ୍ଷରୁ ଆଇନଜୀବୀ ବିଭୁପ୍ରସାଦ ଦାସ ମାମଲା ପରିଚାଳନା କରୁଥିଲେ।

Share