Categories: ରାଜ୍ୟ

Video: ମେଣ୍ଟ ପାଇଁ ହୋଇନାହିଁ ଆଲୋଚନା, ଦିଲ୍ଲୀରୁ ଫେରି ମନମୋହନ ସାମଲଙ୍କ ସୂଚନା

ଭୁବନେଶ୍ୱର,୮।୩: ଓଡ଼ିଶାରେ ଭାଜପା ଏବଂ ବିଜେଡି ମଧ୍ୟରେ ଦୀର୍ଘ ୧୫ ବର୍ଷ ପରେ ପୁଣି ମେଣ୍ଟ ହେଉଥିବା ଆଲୋଚନା ହେଉଛି। ଏହାରି ମଧ୍ୟରେ ଦିଲ୍ଲୀରୁ ଫେରି ଗଣମାଧ୍ୟମ ଆଗରେ ବଡ ବୟାନ ଦେଇଛନ୍ତି ଭାଜପା ସଭାପତି ମନମୋହନ ସାମଲ। ”ଦିଲ୍ଲୀ ଗସ୍ତ ସମୟରେ ଓଡ଼ିଶାରେ ମେଣ୍ଟ ହେବା ନେଇ କୌଣସି ଆଲୋଚନା ହୋଇନଥିବା ସେ ଦୋହରାଇଛନ୍ତି।”

ଆଗାମୀ ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ଓଡ଼ିଶାରେ ଭାଜପା ଏକାକୀ ଲଢ଼ିବ। କେନ୍ଦ୍ରରେ ଏବଂ ରାଜ୍ୟରେ ଭାଜପା କିପରି ସରକାର ଗଠନ କରିବ ସେନେଇ ଆଲୋଚନା ହୋଇଥିବା ସେ କହିଛନ୍ତି।

ତେବେ ଆଲୋଚନା ହେଉଥିଲା କି ଆସନ ବୁଝାମଣା ଚୂଡ଼ାନ୍ତ ହେବା ପରେ ଉଭୟ ଦଳ ପକ୍ଷରୁ ମେଣ୍ଟ ନେଇ ଶୁକ୍ରବାର ଘୋଷଣା ହୋଇପାରେ। ଏହା ବ୍ୟତୀତ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୦୪ ଓ ୨୦୦୯ରେ ହୋଇଥିବା ମେଣ୍ଟଠାରୁ ନୂଆ ମେଣ୍ଟ ଭିନ୍ନ ହେବା ନେଇ ମଧ୍ୟ ଆଲୋଚନା ହେଉଥିଲା। ଏହା ହେଉଛି ଉଭୟ ଦଳ ମଧ୍ୟରେ ଆସନ ବୁଝାମଣା ହେଲେ ମଧ୍ୟ କେହି ସରକାରରେ ସାମିଲ ହେବେ ନାହିଁ।

ଅର୍ଥାତ୍‌ ବିଜେଡି କେନ୍ଦ୍ରରେ ଏନ୍‌ଡିଏର ଅଂଶୀଦାର ଦଳ ହେଲେ ମଧ୍ୟ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ ହେବ ନାହିଁ। ସେହିପରି ରାଜ୍ୟରେ ଭାଜପା ବିଜେଡି ସହିତ ବିଧାନସଭା ଆସନ ବୁଝାମଣା କଲେ ମଧ୍ୟ ସରକାରରେ ସାମିଲ ହେବ ନାହିଁ । ବାହାରେ ରହି ଉଭୟ ଉଭୟଙ୍କୁ ସମର୍ଥନ କରିବେ।

ଅନ୍ୟପକ୍ଷରେ ଆସନ୍ତା ୧୨ ତାରିଖରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓଡ଼ିଶା ଗସ୍ତରେ ଆସିବା କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଉଭୟ ଦଳ ପକ୍ଷରୁ ମିଳିତ ଭାବେ ମେଣ୍ଟ ନେଇ ଘୋଷଣା ହୋଇପାରେ ବୋଲି ମଧ୍ୟ କୁହାଯାଉଛି।

Share