ସପ୍ତାହେ ହେଲା ମିଳୁନି ପିଇବା ପାଣି

ଦାରିଙ୍ଗବାଡି, ୨୪ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ଝିଞ୍ଜିରିଗୁଡା ପଞ୍ଚାୟତ କୁଟୁଲାରୀ ଗାଁରେ ଦେଖାଦେଇଛି ପିଇବା ପାଣିର ସମସ୍ୟା। ଗତ ଏକ ସପ୍ତାହ ହେଲା ଲୋକଙ୍କ ରୋଷେଇ ଶାଳାରେ ଜଳ କଷ୍ଟ ଦେଖିବାକୁ ମିଳିଛି। ଶୌଚ ପାଇଁ ତ ଦୂରର କଥା, ମୁନ୍ଦେ ପିଇବା ପାଣି ପାଇଁ ଗ୍ରାମବାସୀ ଡହଳ ବିକଳ ହେଉଛନ୍ତି। ସରକାର ଘରେ ଘରେ ପିଇବା ପାଣି ପାଇଁ ପାଇପ ଯୋଗେ ଜଳ ଯୋଗାଣ କରୁଥିବା ବେଳେ ଝିଞ୍ଜିରୀଗୁଡା ପଞ୍ଚାୟତର କୁଟୁଲାରୀ ଗ୍ରାମ ସମେତ ଗଡ଼ମା, ବାଘପଦା ଆଦି ଅଞ୍ଚଳରେ ଏବେ ପାଣି ପାଇଁ ଲୋକେ କାନ୍ଦୁଛନ୍ତି।
ପ୍ରକାଶ ଯେ, ଗାଁଠାରୁ ପ୍ରାୟ ୩ କିମି ଦୂର ଗ୍ଲଡିଙ୍ଗ ପାହାଡ଼ରୁ ଝରଣା ପାଣି ସ୍ବତ ପ୍ରବୃତ୍ତ ଭାବେ ବୋହିଯାଉଛି। ତାକୁ ବନ ବିଭାଗର ଓଟିଇଏଲପି (ଓଡିଶା ଜନଜାତି ସଶକ୍ତୀକରଣ ଜୀବନଜୀବିକା କାର୍ଯ୍ୟକ୍ରମ) ପକ୍ଷରୁ ପାହାଡ଼ ଉପରେ ଏକ କୁଣ୍ଡ କରାଯାଇ ଗ୍ରାମକୁ ପାଇପ ଯୋଗେ ଜଳ ଅଣାଯାଇ ଷ୍ଟାଣ୍ଡପୋଷ୍ଟ ମାଧ୍ୟମରେ ଜଳ ସଂଗ୍ରହ କରାଯଉଛି। ହେଲେ ଦିନକୁ ଦିନ ଜଳସ୍ତର କମିବା ସହ ଝର ଜଳର ସ୍ରୋତ କମିଯାଉଛି। ଏବେ ପ୍ରବଳ ଖରା ଯୋଗୁ ଜଳ ଆଉ ପାଇପରେ ଗାଁରେ ପହଞ୍ଚତ୍ପାରୁନି। ଫଳରେ ଲୋକେ ପିଇବା ପାଣି ନପାଇ ହଇରାଣ ହେଉଛନ୍ତି। ଗାଁରେ ଏକାଧିକ ନଳକୂପ ରହିଥିଲେ ସୁଦ୍ଧା ପ୍ରାୟ ଅଚଳ ହୋଇପଡ଼ିରହିଛି। ଯେଉଁ ନଳକୂପରୁ ପାଣି ବାହାରୁଛି ତାହା ମଧ୍ୟ ବହୁ ବିଳମ୍ବରେ ଓ ଗୋଳିଆ ବୋଲି ଗ୍ରାମବାସୀ କହିଛନ୍ତି। ତୁରନ୍ତ ଗ୍ରାମରେ ପିଇବା ପାଣି ଟ୍ୟାଙ୍କର ଯୋଗେ ଯୋଗାଇଦେବା ସହ ସ୍ଥାୟୀ ସମାଧାନ କରି ବୋରୱେଲ ଖୋଳାଯାଇ ପାଇପ ଯୋଗେ ଜଳ ଯୋଗାଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ସେହିପରି କୁଟଲାରୀ ଗ୍ରାମରେ ଥିବା ସାହିକୁ ସାହି ସଂଯୋଗ ହେଉଥିବା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି। ରାସ୍ତା ଉପରେ ବଡ଼ ବଡ଼ ପଥରଗୁଡିକ ଯାତାୟତରେ ସମସ୍ୟା ହେଉଛି। ବିଶେଷ କରି ଦିବ୍ୟାଙ୍ଗ, ଛାତ୍ରୀଛାତ୍ର, ବୃଦ୍ଧା ବୃଦ୍ଧଙ୍କୁ ଯାତାୟତରେ ସମସ୍ୟା ହେଉଛି। ସେହିପରି ଗାଁରେ କୃଷକମାନଙ୍କ ପାଇଁ ଏକ ଦଶନ୍ଧି ଧରି କୋଲ୍ଡଷ୍ଟୋର ନିର୍ମାଣ କରାଯାଇଥିଲେ ସୁଦ୍ଧା ତାହା ତାଲା ଝୁଲୁଥିବା ଅଭିଯୋଗ ହୋଇଛି। ଗାଁରେ ବିଦ୍ୟୁତ ସମସ୍ୟା ଲାଗି ରହିଥିବା ବେଳେ ଷ୍ଟ୍ରିଟଲାଇଟ ଖଞ୍ଜା ଯାଇଥିଲେ ସୁଦ୍ଧା ପ୍ରାୟ ୫ ମାସ ହେଲା ଚାଲୁ କରାଯାଇନାହିଁ। ଫଳରେ ଅଞ୍ଚଳରେ ଅନ୍ଧାର ଯୋଗୁଁ ଅଞ୍ଚଳବାସୀ ସନ୍ଧ୍ୟା ହେଲେ ବାହାରିବାକୁ ଭୟ କରୁଛନ୍ତି। ତେଣୁ ତୁରନ୍ତ ଜଳ ଯୋଗାଣ ସହ ରାସ୍ତା ନିର୍ମାଣ, ବିଦ୍ୟୁତ ଆଲୁଅ ବ୍ୟବସ୍ଥା ଆଦି କରାଯିବାକୁ ଗାଁର ଦାଉଦ ମଲିକ, ସଲମାନ ମଲିକ ପ୍ରମୁଖ ଦାବି କରିଛନ୍ତି। ଏନେଇ ଗ୍ରାମୀଣ ଜଳ ଯୋଗାଣ ବିଭାଗର ସହକାରୀ ଯନ୍ତ୍ରୀ କ୍ଷୀରୋବ୍ଦ ରାଉତ କହିଛନ୍ତି ଯେ, ଝିଞ୍ଜିରୀଗୁଡା ପଞ୍ଚାୟତର ସମସ୍ତ ଗ୍ରାମକୁ ମେଗା ପ୍ରକଳ୍ପ ମାଧ୍ୟମରେ ଜଳ ଯୋଗାଣ ବ୍ୟବସ୍ଥା କରାଯାଉଛି। ଗଜପତି ଜିଲା ଅଡବାରୁ ପାଣି ଅଣାଯାଉଛି।
ପାଇପ ବିଛା କାର୍ଯ୍ୟ ଚାଲିଛି। ଏବେ ଅଚଳ ଥିବା ନଳକୂପଗୁଡିକୁ ମରାମତି କରାଯିବ ବୋଲି ସେ କହିଛନ୍ତି।

Share