ନିର୍ବାଚନ ଲୋଡ଼ାନାହିଁ, ସ୍ବାମୀଙ୍କୁ ଫେରାଇଦିଅ

ଢେଙ୍କାନାଳ ଅଫିସ୍‌, ୧୮ା୨: ‘ମୋର ଭୋଟ ଦରକାର ନାହିଁ କି ନିର୍ବାଚନ ଲଢ଼ିବାର ନାହିଁ, ମୋର ଭୁଲ ହୋଇଛି। ମୁଁ ହାତ ଯୋଡ଼ି ନେହୁରା ହେଉଛି। ମୋ ସ୍ବାମୀଙ୍କୁ ସୁରକ୍ଷିତ ଭାବେ ଫେରାଇଦିଅ’। ମତଦାନକୁ ମାତ୍ର କେଇଘଣ୍ଟା ବାକିଥିବାବେଳେ ଅପହରଣକାରୀଙ୍କ ଉଦ୍ଦେଶ୍ୟରେ କୋହଭରା କଣ୍ଠରେ ଏଭଳି ନିବେଦନ କରିଛନ୍ତି ଢେଙ୍କାନାଳ ସଦର ବ୍ଲକ ସାଙ୍କୁଲେଇ ପଞ୍ଚାୟତର ସମିତିସଭ୍ୟା ପ୍ରାର୍ଥତ୍ନୀ ଭାରତୀ ରଥ। ଗତ ବୁଧବାର ରାତି ୧୦ଟାରୁ ସ୍ବାମୀ ଦୀପକ କୁମାର ଦାଶଙ୍କ କୌଣସି ସନ୍ଧାନ ମିଳୁନାହିଁ। ଫୋନ୍‌ ମଧ୍ୟ ସୁଇଚ୍‌ ଅଫ୍‌ ରହିଛି। ତାଙ୍କୁ ଅପହରଣ କରାଯାଇଥିବା ଭାରତୀ କହିଛନ୍ତି। ଅନ୍ୟପଟେ ଢୋଲପଶି-ସାଙ୍କୁଲେଇ ରାସ୍ତାରୁ ଦୀପକ ବ୍ୟବହାର କରୁଥିବା ସ୍କୁଟି ମିଳିଛି, ଯେଉଁଥିରେ ରକ୍ତଛିଟା ଲାଗିଛି। ଏହାକୁ ନେଇ ପରିବାର ସଦସ୍ୟ ଆଶାଆଶଙ୍କା ଭିତରେ ରହିଛନ୍ତି। ପ୍ରଥମ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ହିଂସାକୁ ନେଇ ଚର୍ଚ୍ଚାରେ ରହିଥିବା ଢେଙ୍କାନାଳରେ ଏହି ଘଟଣା ଆଲୋଡ଼ନ ସୃଷ୍ଟି କରିଛି।
ଅଭିଯୋଗ ଅନୁଯାୟୀ, ଗତ ବୁଧବାର ସାରାଦିନ ଦୀପକ ଏବଂ ଭାରତୀ ସମର୍ଥକଙ୍କ ସହିତ ମିଶି ପଞ୍ଚାୟତରେ ପ୍ରଚାର କରିଥିଲେ। ରାତି ପ୍ରାୟ ୮ଟାରେ ଭାରତୀଙ୍କୁ ଘର ସମ୍ମୁଖରେ ଛାଡ଼ି ସେ ସ୍କୁଟିରେ ବେବର୍ତ୍ତାକାଟେଣୀ ଅଭିମୁଖେ ବାହାରି ଯାଇଥିଲେ। ୯ଟାରେ ଖାଇବା ପାଇଁ ଭାରତୀ ତାଙ୍କୁ ଫୋନ କରିଥିଲେ ହେଁ ଯୋଗାଯୋଗ ହୋଇପାରି ନ ଥିଲା। ରାତି ୧୦ଟାରେ ପୁଣିଥରେ ଫୋନ କରିବାରୁ ତାଙ୍କ ମୋବାଇଲ ସୁଇଚ୍‌ ଅଫ୍‌ ଥିଲା। ଏହା ପରେ ପରିବାର ଲୋକ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ସହିତ ପିସିଆର୍‌ ଭ୍ୟାନକୁ ସୂଚନା ଦେଇଥିଲେ। ବିଳମ୍ବିତ ରାତିରେ ରାସ୍ତାରେ ପଡ଼ିଥିବା ତାଙ୍କ ସ୍କୁଟିକୁ ପୋଲିସ ଉଦ୍ଧାର କରିଥିଲା। ଏ ସଂକ୍ରାନ୍ତରେ ସଦର ଥାନାରେ ନଂ. ୧୧/୨୨ରେ ଏକ ନିଖୋଜ ମାମଲା ରୁଜୁ କରାଯାଇଛି। ପୋଲିସ ଦୀପକଙ୍କୁ ଉଦ୍ଧାର କରିବା ଲାଗି ଉଦ୍ୟମ ଜାରି ରଖିଥିବା ସଦର ଥାନାଧିକାରୀ ଅଭିନବ ଡାଳୁଆ ସୂଚନା ଦେଇଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନକୁ ମାତ୍ର କେଇଘଣ୍ଟା ବାକିଥିବାବେଳେ ମତଦାନକୁ ପ୍ରଭାବିତ କରିବା ଉଦ୍ଦେଶ୍ୟ ରଖି ବିରୋଧୀମାନେ ଏଭଳି ଅପହରଣ କାଣ୍ଡ ଘଟାଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

Share