ବିଦ୍ୟୁତ୍‌ ନାହିଁ, କ୍ରୀଡ଼ା ଛାତ୍ରାବାସ ଛାଡ଼ିଲେ ୨୫ ଛାତ୍ର

ମାଲକାନଗିରି,୧୦ା୩(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସଦର ମହକୁମାସ୍ଥିତ ଷ୍ଟାଡିୟମ ପରିସରରେ ଥିବା କ୍ରୀଡ଼ା ଛାତ୍ରାବାସରେ ବିଦ୍ୟୁତ୍‌ ସମସ୍ୟା ଯୋଗୁ ୨୫ ଜଣ ଅନ୍ତେବାସୀ ବୁଧବାର ଛାତ୍ରାବାସ ଛାଡିଛନ୍ତି। ଟାଟା ପାଓ୍ବାର ପକ୍ଷରୁ ଗତ ୧୦ ଦିନ ତଳେ ଏହି କ୍ରୀଡ଼ା ଛାତ୍ରାବାସରୁ ବିଦ୍ୟୁତ୍‌ ସଂଯୋଗ କଟାଯାଇଥିଲା। ଫଳରେ ଛାତ୍ରାବାସର ଛାତ୍ରମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ରାତିରେ ଖାଦ୍ୟ ରାନ୍ଧିବା, ପାଠ ପଢିବା କଷ୍ଟକର ହେଉଥିଲା। ଗରମ ଯୋଗୁ ସେମାନେ ଅତିଷ୍ଠ ହୋଇପଡୁଥିଲେ। ୧୦ ଦିନ ବିତିଯାଇଥିଲେ ସୁଦ୍ଧା ଏ ଦିଗରେ କ୍ରୀଡା ବିଭାଗ ଓ ଜିଲା ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ବାଧ୍ୟ ହୋଇ ୨୫ ଜଣ ଛାତ୍ର ଛାତ୍ରାବାସ ଛାଡି ନିଜ ଘରକୁ ପଳାଇଛନ୍ତି। ଛାତ୍ରାବାସର ବକେୟା ବିଦ୍ୟୁତ୍‌ ଦେୟ ୪୯ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଥିଲା। ଏଥିପାଇଁ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଛାତ୍ରାବାସର ବିଦ୍ୟୁତ୍‌ ସଂଯୋଗ ବିଭାଗ କାଟି ଦେଇଥିଲା। ସେଥିରୁ ୧୯ ଲକ୍ଷ ୭୫ ହଜାର ଟଙ୍କା ପୈଠ କରାଯାଇଥିଲା। ଅବଶିଷ୍ଟ ଏକ ମାସ ମଧ୍ୟରେ ଦେବାକୁ ପ୍ରଶାସନ ପ୍ରତିଶ୍ରୁତି ଦେବା ପରେ ଛାତ୍ରାବାସକୁ ବିଦ୍ୟୁତ୍‌ ସଂଯୋଗ ହୋଇଥିଲା। ତେବେ ଏକ ମାସ ମଧ୍ୟରେ ବକେୟା ଟଙ୍କା ୩୦ ଲକ୍ଷ ପୈଠ ନ ହେବାରୁ ୧୦ଦିନ ତଳେ ଛାତ୍ରାବାସରୁ ବିଦ୍ୟୁତ୍‌ ସଂଯୋଗକୁ କଟାଯାଇଥିଲା। ତେବେ ଛାତ୍ରମାନେ ଘରକୁ ଚାଲିଯାଉଥିବା ବେଳେ ସେମାନଙ୍କୁ ଜିଲା କ୍ରୀଡ଼ା ଅଧିକାରୀ କୁଳମଣି ନିଆଲ ଛାତ୍ରାବାସକୁ ଫେରାଇ ଆଣିବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ। ଏ ସମ୍ପର୍କରେ ନିଆଲଙ୍କୁ ପଚାରିବାରୁ ସେ କହିଲେ ଯେ, ଛାତ୍ରାବାସର ବକେୟା ବିଦ୍ୟୁତ୍‌ ଦେୟ ପୈଠ ଲାଗି ସେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି। ଜିଲା ପ୍ରଶାସନ ଓ ସମ୍ପୃକ୍ତ କ୍ରୀଡ଼ା ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ବକେୟା ବିଦ୍ୟୁତ୍‌ ଦେୟ ପୈଠ କରି ଛାତ୍ରାବାସକୁ ବିଦ୍ୟୁତ୍‌ ସଂଯୋଗ କରି ଛାତ୍ରମାନଙ୍କୁ ଫେରାଇ ଆଣିବାକୁ ସାଧାରଣରେ ଦାବି ହେଉଛି। ସୂଚନାଯୋଗ୍ୟ, ମାଲକାନଗିରି ଜିଲାରେ ଏହି କ୍ରୀଡ଼ା ଛାତ୍ରାବାସରୁ ଅନେକ କ୍ରୀଡା ପ୍ରତିଭା ଆନ୍ତଃଜିଲା, ଆନ୍ତଃରାଜ୍ୟ ଏବଂ ଜାତୀୟ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ଜିଲା ପାଇଁ ସୁନାମ ଆଣିଛନ୍ତି।

Share