ଗଞ୍ଜାମ,୫।୬(ଡି.ଏନ.ଏ.): ଗଞ୍ଜାମ ବ୍ଲକ ସନ୍ତୋଷପୁର ପଞ୍ଚାୟତ ଅଧୀନରେ ରହିଛି ଲାଉପୁଟୁ ଗ୍ରାମ। ଉକ୍ତ ଗ୍ରାମର ପ୍ରାୟ ଅଧିକାଂଶ ପରିବାର ଧାନ, ମୁଗ, ବିରି ସହ ଭୂଇଁଚଣା ଚାଷକୁ ଅଧିକ ପ୍ରାଧାନ୍ୟ ଦେଇଥାନ୍ତି। ଉକ୍ତ ଗ୍ରାମର ସତ୍ୟଭାମା ଜେନା(୮୦) କିନ୍ତୁ ପରିଣତ ବୟସରେ ମଧ୍ୟ ଭୂଇଁଚଣା ଚାଷରୁ ଫେରାଇ ନାହାନ୍ତି ମୁହଁ। ଅନ୍ୟମାନଙ୍କ ପାଇଁ ସେ ପାଲଟିଛନ୍ତି ଉଦାହରଣ। ଚଳିତ ବର୍ଷ ସେ ୮ ଭରଣ ଜମିରେ ଭୂଇଁଚଣା ଚାଷ କରିଛନ୍ତି। ନିଜେ କିଛି କରି ନ ପାରିଲେ ମଧ୍ୟ ନିଜ ଝିଅ ସରସ୍ବତୀଙ୍କ ସହଯୋଗରେ ମୂଲିଆ ଲଗାଇ ଏହି ଚାଷ କରିଆସୁଛନ୍ତି। କିନ୍ତୁ ଜିଲା ପ୍ରଶାସନ ପକ୍ଷରୁ କୌଣସି ପ୍ରୋତ୍ସାହନ ମିଳୁ ନ ଥିବା କହିଛନ୍ତି ବୃଦ୍ଧା ହଜାରୀ। ସରକାରୀ ସହାୟତା ମିଳିଥିଲେ ତାଙ୍କ ଗ୍ରାମର ପ୍ରାୟ ୪୦ ପରିବାର ଏହି ଭୂଇଁଚଣା ଚାଷକରି ଉପକୃତ ହୋଇପାରନ୍ତେ। ଟ୍ରାକ୍ଟର କିମ୍ବା ଲଙ୍ଗଳ ଦ୍ୱାରା ଚାଷ କରିବାକୁ ହଜାର ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ। ଏଥିସହ ଚଣା ବିହନ କିଲୋ ପିଛା ୧୦୦ ଟଙ୍କାରେ କିଣିବାକୁ ପଡ଼ିଥାଏ। ଚାଷ ପରେ ଚଣାମଞ୍ଜିକୁ ମାଟିରେ ପୋତିବାର ୧୦ରୁ ୧୨ ଦିନ ପରେ ସେଥିରୁ ଗଜା ହୋଇଥାଏ। ପୁଣି ଚାରି ମାସ ପରେ ଗଛମୂଳରେ ଚଣା ଫଳିଥାଏ। ତାହାକୁ ମୂଲିଆ ଦ୍ୱାରା ଉପାଡ଼ି ସେଥିରୁ ଭୂଇଁଚଣା ଅମଳ କରାଯାଇଥାଏ। ଉକ୍ତ ଭୂଇଁଚଣା କିଲୋ ପ୍ରତି ୫୦ରୁ ୬୦ ଟଙ୍କାରେ ବିକ୍ରି କରାଯାଉଛି। ବର୍ଷକୁ ଗୋଟିଏ ଜମିରେ ଦୁଇଥର ଏହି ଚାଷ ହେଉଥିବା ବେଳେ ଏହାର ମୁଖ୍ୟ ସମସ୍ୟା ପାଣି। ସେଠାରେ କେନାଲ ବ୍ୟବସ୍ଥା ନାହିଁ। ପ୍ରଶାସନ ପକ୍ଷରୁ ଯଦି ବୋର୍ ଖୋଳାଯାଇଥାନ୍ତା ତା’ହେଲେ ସେହି ଗ୍ରାମର ସମସ୍ତ ଭୂଇଁଚଣା ଚାଷୀ ଉପକୃତ ହେବା ସହ ଏହି ଚାଷ ପ୍ରତି ଆକୃଷ୍ଟ ହୁଅନ୍ତେ ବୋଲି ସେ କହିଛନ୍ତି। ସେହିପରି ଉକ୍ତ ଗ୍ରାମର ସତ୍ୟଭାମା, ଶରତ ଜେନା ଓ ଅମୂଲ୍ୟ ଜେନା ମଧ୍ୟ ଏହି ଚାଷକରି ନିଜ ପରିବାର ପ୍ରତିପୋଷଣ କରୁଛନ୍ତି। ବ୍ଲକ ପ୍ରଶାସନ ପକ୍ଷରୁ କୌଣସି ସହାୟତା ମିଳୁ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ପାହାଡ଼ ପର୍ବତ ଏରିଆ। ପ୍ରତିବର୍ଷ ପାଣି ଅଭାବରୁ ସେମାନେ ଏହି ଚାଷ କରି କ୍ଷତି ସହୁଥିବା କହିଛନ୍ତି। ପ୍ରତିବର୍ଷ କ୍ଷତି ସହୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କ୍ଷତିପୂରଣ ମିଳୁନି ବୋଲି ସେମାନେ ଅଭିଯୋଗ କରୁଛନ୍ତି। ଏଣୁ ଜିଲା କୃଷି ବିଭାଗ ଏଥିପ୍ରତି ଦୃଷ୍ଟିଦେବା ସହ ଏଗ୍ରିକଲ୍ଚର ଲୋନ୍ ଯୋଗାଇଦେବାକୁ ଦାବି ହୋଇଛି। ଏ ସମ୍ପର୍କରେ ବ୍ଲକ କୃଷି ସହକାରୀଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ।