ଲୋଭର ଅନ୍ତ ନାହିଁ

ଏବେ ଆଦାନୀ ଘଟଣା ଦେଶକୁ ମାଡ଼ି ବସିଛି। ତାହାର ପ୍ରଭାବ ଭାରତୀୟ ଅର୍ଥନୀତି ଉପରେ ସୁନିଶ୍ଚିତ ପଡ଼ିବ ବୋଲି ଦେଶର ଶିକ୍ଷିତ ନାଗରିକ ବୁଝିସାରିଲେଣି। ଦେଖିବାକୁ ଗଲେ, ଭାରତର ଅର୍ଥନୀତି ଅତ୍ୟନ୍ତ ଦୁର୍ବଳ ହୋଇଯାଇଥିବାର ସବୁ ଲକ୍ଷଣ ଦେଖାଯାଉଛି। କେବଳ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ବିନିମୟ ମୂଲ୍ୟ ହ୍ରାସ ପାଉଥିବା ଏକମାତ୍ର ଦୃଷ୍ଟାନ୍ତ ନୁହେଁ। ଶତ୍ରୁ ସାଜିଥିବା ଚାଇନାର ଏକତରଫା ବ୍ୟବସାୟ ବୃଦ୍ଧି ଭଳି ଅନେକ ଅସଙ୍ଗତି ଦୃଶ୍ୟମାନ ହେଉଥିବା ବେଳେ ବିମୁଦ୍ରୀକରଣ ଯୋଗୁ ଭାରତର କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବ୍ୟବସାୟ ଧ୍ୱଂସ ହୋଇଯାଇଥିବାରୁ ସବୁ ହିସାବ ତ୍ରୁଟିପୂର୍ଣ୍ଣ ପ୍ରମାଣିତ ହେଉଛି। ୫ ଟ୍ରିଲିୟନରୁ ଅଧିକ ଆମେରିକୀୟ ଡଲାରକୁ ଭାରତୀୟ ଅର୍ଥନୀତି ପହଞ୍ଚିବ ବୋଲି ଯାହା କୁହାଯାଉଥିଲା, ତାହା ଏବେ ଧୂଆଁବାଣ ବୋଲି ସମସ୍ତେ ବୁଝିଲେଣି। ତଥାପି ମୋଦି ଏବଂ ଭାଜପା ପ୍ରତି ରହିଥିବା ସମର୍ଥନ ପଛରେ କେବଳ ମୁସଲମାନ ଧର୍ମ ପ୍ରତି ଘୃଣା ଭୋଟଦାତାଙ୍କୁ ଏକଜୁଟ କରୁଛି।
ଆଦାନୀ ଘଟଣାଠାରୁ ଦୃଷ୍ଟି ହଟାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଥିବା ହେତୁ ପ୍ରଥମେ ୧୪ ଫେବୃୟାରୀ ଭାଲେଣ୍ଟାଇନ୍ସ ଦିବସକୁ ୬ ଫେବୃୟାରୀରେ ‘ଗାଈକୁ ଆଲିଙ୍ଗନ ଦିବସ’ ଭାବେ ପାଳନ କରିବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରାଣୀଧନ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଥିଲା। ଏହି ନିଷ୍ପତ୍ତିକୁ ବିରୋଧ ପରିବର୍ତ୍ତେ ସାମାଜିକ ଗଣମାଧ୍ୟମରେ ପ୍ରବଳ ମାତ୍ରାରେ ଥଟ୍ଟାମଜା କରାଗଲା। ଏହା ଅସହ୍ୟ ହୋଇପଡ଼ିବା ହେତୁ କେନ୍ଦ୍ର ସରକାର ବିଧିବଦ୍ଧ ଭାବେ ତାଙ୍କର ପୂର୍ବ ଘୋଷଣାକୁ ୧୦ ଫେବୃୟାରୀରେ ପ୍ରତ୍ୟାହାର କରିନେଲେ। ତାହା କାମ ଦେଇ ନ ଥିବା ଫଳରେ ନୂତନ କୌଶଳ ଚିନ୍ତା କରାଗଲା। ଘାଣ୍ଟ ତରକାରିକୁ ବହଳିଆ କରିବା ପାଇଁ ମାଟିଆଳୁ ପକାଯାଇଥାଏ। ସେହିଭଳି ପରିସ୍ଥିତିକୁ ଭିନ୍ନ ମୋଡ଼ ଦେଇ ବହଳିଆ କରିବା ପାଇଁ ମୁସଲମାନ ସମ୍ପ୍ରଦାୟକୁ ସମ୍ପୃକ୍ତ କରିବା ଅତ୍ୟନ୍ତ ଆବଶ୍ୟକ ହେଉଥିବାର ଲକ୍ଷ୍ୟ କରାଯାଉଛି। ଏଭଳି ସ୍ଥିତି ସୃଷ୍ଟି କରାଯିବାର ଆବଶ୍ୟକତା ପଡ଼ିଲାଣି ଯେଉଁଥିରେ କେହି ଥଟ୍ଟାମଜା କରିପାରିବେ ନାହିଁ। ଧର୍ମନିରପେକ୍ଷ ଓ ତଥାକଥିତ ଉଦାରବାଦୀ ଗୋଷ୍ଠୀ ନୀରବ ପଡ଼ିଯିବେ, ତତ୍‌ସହିତ ଆଦାନୀ ପଛକୁ ଠେଲି ହୋଇଯିବେ। ଭାବୁ ଭାବୁ ମନକୁ ଆସିଲା ରାଜ୍ୟପାଳ ପ୍ରସଙ୍ଗ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୧୨ ଫେବୃୟାରୀ ୨୦୨୩ରେ ୧୩ ରାଜ୍ୟ ପାଇଁ ରାଜ୍ୟପାଳ ନିଯୁକ୍ତି ସଂକ୍ରାନ୍ତ କାଗଜପତ୍ରରେ ଦସ୍ତଖତ କରିଛନ୍ତି। ଏମାନଙ୍କ ମଧ୍ୟରେ କେତେକ ରାଜ୍ୟର ରାଜ୍ୟପାଳଙ୍କ ହିନିମାନିଆ ଭାବେ ସରକାରୀ କର୍ମଚାରୀଙ୍କ ଭଳି ବଦଳି ହୋଇଥିବା ବେଳେ ଆଉ କିଛି ନୂଆ ଭାବେ ନିଯୁକ୍ତି ପାଇଛନ୍ତି। ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଥିବା ବିଶ୍ୱଭୂଷଣ ହରିଚନ୍ଦନ ଛତିଶଗଡ଼ ରାଜ୍ୟପାଳ ହେବା ପରେ ତାଙ୍କ ସ୍ଥାନରେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଅବଦୁଲ ନାଜିରଙ୍କୁ ଅବସ୍ଥାପିତ କରାଯାଇଛି। ୪ ଜାନୁୟାରୀରେ ଚାକିରିରୁ ଅବସର ନେଇଥିବା ଜଣେ ବ୍ୟକ୍ତିଙ୍କୁ ୩୮ ଦିନ ପରେ ରାଜ୍ୟପାଳ କରାଯାଇଥିବାରୁ ଏହାକୁ ନେଇ ବିବାଦ ଉପୁଜିଲାଣି। କୁହାଯାଉଛି ଚାକିରି କାଳରେ ସେ କେନ୍ଦ୍ର ସରକାରଙ୍କୁ ସୁହାଇଲା ଭଳି ପ୍ରଦାନ କରାଯାଇଥିବା ରାୟର ମୁଖ୍ୟ ପୁରୋଧା ଥିଲେ। ଉଲ୍ଲେଖଯୋଗ୍ୟ ଯେ, ଅଯୋଧ୍ୟା ବିବାଦଠାରୁ ଆରମ୍ଭକରି ତିନି ତଲାକ୍‌ ଏବଂ ୨ ଜାନୁୟାରୀ ୨୦୨୩ରେ ସରକାରଙ୍କ ବିମୁଦ୍ରୀକରଣ ନିଷ୍ପତ୍ତିକୁ ବୈଧ ବୋଲି ଦିଆଯାଇଥିବା ରାୟରେ ନାଜିରଙ୍କ ପ୍ରମୁଖ ଭୂମିକା ଥିଲା। ସମ୍ଭବତଃ ସେଥିପାଇଁ ତାଙ୍କୁ ପୁରସ୍କାର ସ୍ବରୂପ ରାଜ୍ୟପାଳ ପଦବୀ ଦିଆଯାଇଛି ବୋଲି ଆଲୋଚନା ହେଉଛି। ବିରୋଧୀ କଂଗ୍ରେସ କହିଛି, ନାଜିରଙ୍କ ନିଯୁକ୍ତି ନ୍ୟାୟବ୍ୟବସ୍ଥା ପାଇଁ ବିପଦ ସୃଷ୍ଟି କରିଛି। ଏହି ସନ୍ଧିକ୍ଷଣରେ କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭି ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ ଅରୁଣ ଜେଟ୍‌ଲୀଙ୍କ ଉକ୍ତିକୁ ଉଦ୍ଧାର କରିଛନ୍ତି। ସେ କହିଛନ୍ତି ଯେ, ଜେଟ୍‌ଲୀ ୨୦୧୨ରେ କହିଥିଲେ-ବିଚାରପତିଙ୍କ ଅବସର ଗ୍ରହଣର ପୂର୍ବ ରାୟ ଅବସର ପରବର୍ତ୍ତୀ ପଦବୀ ଦ୍ୱାରା ପ୍ରଭାବିତ ହୋଇଥାଏ ଏବଂ ତାହା ନ୍ୟାୟପାଳିକା ପ୍ରତି ବିପଦ ହୋଇଥାଏ। ଏବେ ସେହି ଭାଜପା ସରକାର ବିଚାରପତିମାନଙ୍କୁ ଅଗୁଆ ଲୋଭ ଦେଖାଇ ନିଜ କାର୍ଯ୍ୟ ହାସଲ କରୁଛି ବୋଲି କୁହାଯାଉଛି।
ଭାଜପାର ରଣନୀତି ଦିନକୁ ଦିନ ଅଧିକ ଶାଣିତ ହେବାରେ ଲାଗୁଛି। ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆର୍‌ଏସ୍‌ଏସ୍‌) କିମ୍ବା ଦଳୀୟ ପ୍ରାର୍ଥୀଙ୍କୁ ରାଜ୍ୟପାଳ ପଦବୀ ଦିଆଯାଇ ଆସୁଥିବା ବିଷୟ ସରକାରଙ୍କୁ ଅସୁବିଧାରେ ପକାଉଛି। ସେଥିରୁ ବର୍ତ୍ତିବା ଲାଗି ପ୍ରଶାସନିକ ଅଧିକାରୀ, ବିଚାରପତି ଓ ସ୍ଥଳବିଶେଷରେ ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରାଯାଉଛି। କେନ୍ଦ୍ରରେ ଭାଜପା ସରକାର ହେବାଠାରୁ ସରକାରୀ ଆଭିମୁଖ୍ୟ ସଂଖ୍ୟାଲଘୁ ବିରୋଧୀ ପାଲଟିଥିବା ସମାଲୋଚନା ହେଲା। ବିରୋଧୀମାନେ ଭାଜପାର ଧର୍ମନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଲେ। ତେଣୁ ସଂଖ୍ୟାଲଘୁଙ୍କ ମନ ଜିଣିବା ଲାଗି ଅରିଫ୍‌ ମହମ୍ମଦ ଖାନ୍‌ଙ୍କୁ କେରଳ ରାଜ୍ୟପାଳ କରାଯାଇ ସମାଲୋଚନା କରୁଥିବା ବ୍ୟକ୍ତିଙ୍କ ମୁହଁ ଚୁପ୍‌ କରାଯିବାର ଚେଷ୍ଟା କରାଯାଇଥିଲା। ଅନୁରୂପ ଭାବେ କେନ୍ଦ୍ର ସରକାର ନିଜ ଶାସନକୁ ସୁହାଇଲା ଭଳି ରାୟ ନାଜିରଙ୍କ ତୁଣ୍ଡରୁ ଶୁଣାଇବାର ଚେଷ୍ଟା କରି ସେଥିରେ ସଫଳ ହୋଇଛନ୍ତି। ଫଳରେ ତାଙ୍କ ଅବସର ପରେ ରାଜ୍ୟପାଳ ପଦବୀ ଭେଟି ଦେବା ଏକ ସେଟିଂ ବୋଲି ମନେହେଉଛି। ଆଜିର ସ୍ଥିତି ଦେଖିଲେ ତଫସିଲଭୁକ୍ତ ଜାତି, ଉପଜାତି କିମ୍ବା ସଂଖ୍ୟାଲଘୁ ବର୍ଗର ଲୋକ ଉପରକୁ ଉଠିଗଲେ ସେମାନେ ନିଜ ଜାତି ବା ଭାଇ ବନ୍ଧୁଙ୍କୁ ଅଣଦେଖା କରୁଛନ୍ତି। ଅନେକ ସମୟରେ ସେମାନେ ଘୃଣା ମଧ୍ୟ କରିଥାନ୍ତି। ‘ନିଜେ ବଞ୍ଚତ୍ଲେ ବାପର ନାଁ’ ନୀତି ଅନୁସରଣ କରୁଥିବା ଏହି ସୁବିଧାବାଦୀମାନେ ଅନ୍ୟସବୁ ବିଷୟକୁ ପଛରେ ପକାଇ ଦେଇଥାଆନ୍ତି। କେବଳ ଆରିଫ ମହମ୍ମଦ ଖାନ୍‌ ନୁହେଁ, ଏବେ ଅବଦୁଲ ନାଜିର ମଧ୍ୟ ପ୍ରମାଣ କରିଦେଇଛନ୍ତି ଯେ, ମୁସଲମାନ କିମ୍ବା ହିନ୍ଦୁ ହେଲେ ମଣିଷର ଜଘନ୍ୟ ଚିନ୍ତାଧାରାରେ ପରିବର୍ତ୍ତନ ଆସେ ନାହିଁ। ସୁପ୍ରିମ୍‌କୋର୍ଟର ବିଚାରପତି ଭାବେ ଦେଶର ଅମଙ୍ଗଳ ପାଞ୍ଚି ଏହି ବ୍ୟକ୍ତି ନିଜର ଭବିଷ୍ୟତ ପାଇଁ ମସୁଧା କରିଆସୁଥିଲେ ବୋଲି ଆଜି ବୁଝାପଡୁଛି। ନାଜିର ପ୍ରମାଣ କରିଦେଇଛନ୍ତି ଯେ ଲୋଭର ଅନ୍ତ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କୃତଜ୍ଞତାର ସ୍ବର

ବୁଝିଲ ବନ୍ଧୁ, ଈଶ୍ବରଙ୍କ ଆଶୀର୍ବାଦରୁ ଆମେ ଏ ଜୀବନ ପ୍ରାପ୍ତ ହେଇଛେ ସତ, ହେଲେ ଆମ ଜୀବନରେ ଆମ ମା’ବାପା, ଭାଇ ବନ୍ଧୁ, ପୃଥିବୀ, ଆକାଶ,...

ଆଚାର୍ଯ୍ୟ, ଅବଧାନ ଓ ଶିକ୍ଷକ

ବୈଦିକ ଯୁଗରେ ଅରଣ୍ୟରେ ଥିବା ଋଷିମାନଙ୍କର ଆଶ୍ରମଗୁଡ଼ିକ ଥିଲା ବିଦ୍ୟାଦାନର କେନ୍ଦ୍ର। ଧନୀ, ଗରିବ, ରାଜପୁତ୍ର ସମସ୍ତେ ସେଠାରେ ଏକତ୍ର ବିଦ୍ୟାଗ୍ରହଣ କରୁଥିଲେ। ସନ୍ଦିପନୀ ଉଭୟ...

ସମ୍ପ୍ରସାରଣର ଶାସନ

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରୁ ଅବସର ପରେ ବରିଷ୍ଠ ସିଭିଲ ସର୍ଭାଣ୍ଟଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଆସୁଛି। ମୋଦି ସରକାର କ୍ଷମତାକୁ ଫେରିବାର ସପ୍ତାହକ ପରେ...

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା...

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri