Categories: ଜାତୀୟ

କୌଣସି ପ୍ରକାର ଗୁପ୍ତଚରୀକୁ ସହ୍ୟ କରାଯିବ ନାହିଁ…

ନୂଆଦିଲ୍ଲୀ,୨୭।୧୦: ଦେଶରେ କୌଣସି ପ୍ରକାରର ଗୁପ୍ତଚରୀକୁ ସହ୍ୟ କରାଯିବ ନାହିଁ ବୋଲି ପେଗାସସ୍‌ ମାମଲାର ଶୁଣାଣି ସମୟରେ ବୁଧବାର ସୁପ୍ରିମ୍‌କୋର୍ଟ ପ୍ରକାଶ କରିଛନ୍ତି। ଏହାର ଯାଞ୍ଚ୍‌ ପାଇଁ ବିଶେଷଜ୍ଞ କମିଟି ଗଠନ କରାଯିବା ଆବଶ୍ୟକତା ଉପରେ କୋର୍ଟ ଗୁରୁତ୍ୱାରୋପ କରିଛନ୍ତି। ଗଠନ ହୋଇଥିବା ଏହି ୩ ଜଣିଆ କମିଟିର ଅଧ୍ୟକ୍ଷତା ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ଆର୍‌.ବି. ରବୀନ୍ଦ୍ରନ କରୁଛନ୍ତି। ଏହା ସହିତ କମିଟିରେ ଆଲୋକ ଯୋଶୀ ଏବଂ ସନ୍ଦୀପ୍‌ ଓବରାଇଙ୍କୁ ସାମିଲ କରାଯାଇଛି।

ଶୁଣାଣି ସମୟରେ ପ୍ରଧାନ ବିଚାରପତି ଏନ୍‌.ଭି. ରମନାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ,ଆମେ ଦେଶରେ ଆଇନ ବ୍ୟବସ୍ଥାକୁ ସୁନିଶ୍ଚିତ କରିବାକୁ ଚାହୁଁଛୁ। ନ୍ୟାୟିକ ବ୍ୟବସ୍ଥା ସବୁବେଳେ ଦେଶରେ ମୌଳିକ ଅଧିକାରକୁ ସୁରକ୍ଷା ଯୋଗାଇ ଦେଇଛି।

ସଭିଏଁ ନିଜତ୍ୱର ସୁରକ୍ଷା ଚାହିଁଥାନ୍ତି। ନିଜତ୍ୱ ଅଧିକାରର କେତେକ ନିର୍ଦ୍ଦିଷ୍ଟ ପରିସୀମା ମଧ୍ୟ ରହିଛି। ଭାରତର ପ୍ରଧାନ ବିଚାରପତି ଏନ.ଭି ରାମନା କହିଛନ୍ତି, ଆମେ ସୂଚନା ପ୍ରଯୁକ୍ତିବିଦ୍ୟା ଯୁଗରେ ବାସ କରୁଛୁ। ଏହାକୁ ଜନସାଧାରଣଙ୍କ ସ୍ବାର୍ଥରେ ବ୍ୟବହାର କରିବା ଉଚିତ। ଗଣତନ୍ତ୍ରର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଗଣମାଧ୍ୟମର ସ୍ବାଧୀନତା । ଟେକ୍ନୋଲୋଜି ଦ୍ୱାରା ଏହାର ଅପବ୍ୟବହାର କରାଯିବା ଠିକ ନୁହେଁ।

ଆମେ ସତ୍ୟ ଜାଣିବାକୁ ଚାହୁଁଛୁ। ଏହାର ଜବାବ ଦେବାକୁ ଆମେ ସରକାରଙ୍କୁ ପର୍ଯ୍ୟାପ୍ତ ସୁଯୋଗ ଦେଇଛୁ। ଜାତୀୟ ସୁରକ୍ଷା ଯୋଗୁଁ ଏହାର ଉତ୍ତର ଦେଇପାରିବେ ନାହିଁ ବୋଲି ସରକାର କହିଛନ୍ତି। ଆମେ କହିଥିଲୁ ଯେ ଯାହା କୁହା ଯାଇପାରିବ, ସେତିକି କୁହ, କିନ୍ତୁ ସରକାର ଏହାର ଉତ୍ତର ଦେଇ ନାହାଁନ୍ତି। ତେଣୁ କୋର୍ଟ କେବଳ ମୂକ ଦର୍ଶକ ଭାବରେ ବସିପାରିବେ ନାହିଁ।

ସୁପ୍ରିମକୋର୍ଟ କହିଛନ୍ତି ଯେ, ଏହି ମାମଲାରେ କେନ୍ଦ୍ର ଦ୍ୱାରା କୌଣସି ନିର୍ଦ୍ଦିଷ୍ଟ ଖଣ୍ଡନ କରାଯାଇ ନାହିଁ। ତେଣୁ ଆବେଦନକାରୀଙ୍କ ନିବେଦନକୁ ଗ୍ରହଣ କରିବା ବ୍ୟତୀତ ଶୀର୍ଷ କୋର୍ଟଙ୍କ ପାଖରେ ବିକଳ୍ପ ନାହିଁ। କୋର୍ଟ ଏକ ବିଶେଷଜ୍ଞ କମିଟି ନିଯୁକ୍ତ କରିଛନ୍ତି। କମିଟିର କାର୍ଯ୍ୟ ସୁପ୍ରିମକୋର୍ଟଙ୍କ ଦ୍ୱାରା ତଦାରଖ ହେବ। ଏହି ମାମଲାର ନିରପେକ୍ଷ ଯାଞ୍ଚ୍‌ ଲାଗି ୧୫ ଆବେଦନ ଦାଖଲ କରାଯାଇଛି।

Share