ଓଡ଼ିଶାକୁ ନାହିଁ ବାତ୍ୟା ଭୟ, ତଥାପି ସମ୍ପୂର୍ଣ୍ଣ ପ୍ରସ୍ତୁତ: ଏସ୍‌ଆର୍‌ସି

ଭୁବନେଶ୍ୱର,୨୧।୧୦(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଶୁକ୍ରବାର ସରକାରଙ୍କ ପକ୍ଷରୁ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସମ୍ଭାବ୍ୟ ବାତ୍ୟାକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ । ଏହା ଓଡ଼ିଶା ଛୁଇଁବାର ସମ୍ଭାବନା ନାହିଁ । ତେବେ ଏହା ଓଡ଼ିଶା ଉପକୂଳରୁ ପ୍ରାୟ ୨୦୦କିମି ଦୂରରେ ସମୁଦ୍ର ଭିତରେ ସମାନ୍ତରାଳ ହୋଇ ବାଂଲାଦେଶ ଅଭିମୁଖେ ଅତିକ୍ରମ କରିବ । ତେଣୁ ସାଧାରଣ ଲୋକଙ୍କୁ ଆତଙ୍କିତ ନ ହେବା ପାଇଁ ସେ ପରାମର୍ଶ ଦେଇଛନ୍ତି। ଏହା ସହ ଗଣମାଧ୍ୟମ ମଧ୍ୟ ବାତ୍ୟା ସଂକ୍ରାନ୍ତରେ ହଟଚମଟ ସୃଷ୍ଟି କଲାଭଳି ଖବର ପରିବେଷଣ ନକରୁ ବୋଲି ଏସ୍‌ଆରସି କହିଛନ୍ତି । ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ।
ସେ ଗଣମାଧ୍ୟମ ଉଦ୍ଦେଶ୍ୟରେ ଏକ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଓ ସେମାନଙ୍କର ଆକଳନ ଅନୁସାରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ଆସନ୍ତାକାଲି ସୁଦ୍ଧା ଅବପାତ ଓ ୨୩ତାରିଖ ସୁଦ୍ଧା ତୀବ୍ର ଅବପାତ ଏବଂ ୨୪ତାରିଖ ସୁଦ୍ଧା ସାମୁଦ୍ରିକ ଝଡ଼ର ରୂପ ନେବ । ଏହି ସମ୍ଭାବ୍ୟ ବାତ୍ୟା ଉତ୍ତର ଓ ଉତ୍ତର-ପୂର୍ବ ଦିଗରେ ଓଡ଼ିଶା ଉପକୂଳର ୨୦୦କିମି ଦୂରରେ ସମାନ୍ତରାଳ ଭାବେ ଗତି କରି ୨୫ତାରିଖ ସା ସୁଦ୍ଧା ବାଂଲାଦେଶରେ ଉପକୂଳ ଛୁଇଁବ । ତେଣୁ ସମ୍ଭାବ୍ୟ ବାତ୍ୟା ଓ ଉପକୂଳ ଛୁଇଁବାର କୌଣସି ସମ୍ଭାବନା ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ କରିଛି ।