ବାତ୍ୟା ଭୟ ନାହିଁ, କେବଳ ବର୍ଷିବ

ଭୁବନେଶ୍ୱର,୧୪।୧୦(ବ୍ୟୁରୋ): ଆଉ ବାତ୍ୟା ଭୟ ନାହିଁ। କେବଳ ବର୍ଷିବ। ପୂର୍ବରୁ ଦଶହରା ପରେ ପରେ ରାଜ୍ୟରେ ବାତ୍ୟା ସମ୍ଭାବନା ଥିବା ନେଇ କୁହାଯାଉଥିଲା। ହେଲେ ଏବେ କେବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଗୁରୁବାର କହିଛନ୍ତି।

ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଧୀରେ ଧୀରେ ଗତି କରି ୧୫ ତାରିଖରେ ଦକ୍ଷିଣ ଓଡ଼ିଶା ଏବଂ ଆନ୍ଧ୍ର ଉପକୂଳରେ କେନ୍ଦ୍ରୀଭୂତ ହେବ। ବାତ୍ୟା ପ୍ରଭାବରେ ଗୁରୁବାରଠାରୁ ୧୭ ଯାଏ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ସେହିଭଳି ଅଳ୍ପ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଥିବା ସେ କହିଛନ୍ତି। ତେବେ ଲଘୁଚାପ କ୍ଷେତ୍ର ଭାବେ ରହି ଏହା ଉପକୂଳ ଅତିକ୍ରମ କରିବ। ଏହା ବାତ୍ୟା ନୁହେଁ। ଏହାର ପ୍ରଭାବରେ ବର୍ଷା ହେବା ସହ ସମୁଦ୍ର ଉପରେ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିମି ରହିପାରେ। ତେଣୁ ମତ୍ସଜୀବୀମାନେ ସମୁଦ୍ର ଭିତରକୁ ନ ଯିବାକୁ ସେ ମଧ୍ୟ କହିଛନ୍ତି।

Share