Categories: ଜାତୀୟ

ପଞ୍ଜାବକୁ ନେଇ ନିଆଯାଇନାହିଁ କୌଣସି ଅନ୍ତିମ ନିଷ୍ପତ୍ତି: ହରିଶ

ନୂଆଦିଲ୍ଲୀ,୧୬।୭: ପଞ୍ଜାବରେ ଥମୁନି ରାଜନୈତିକ ଝଡ଼। ଆସନ୍ତା ବର୍ଷ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ହଇଚଇ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଓ ନଭଜୋତ ସିଂହ ସିଦ୍ଧୁଙ୍କ ମଧ୍ୟରେ ଥିବା ବିବାଦ ଥମିବାର ନାଁ ନେଉନି। ଇତିମଧ୍ୟରେ ଶୁକ୍ରବାର ନୂଆଦିଲ୍ଲୀରେ ଜନପଥ ୧୦ରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ପୁଣି ଥରେ ନଭଜୋତ ସିଂହ ସିଦ୍ଧୁ ଭେଟିଛନ୍ତି। ସୋନିଆ ଗାନ୍ଧୀଙ୍କ ସହ ସାକ୍ଷାତକାର ପରେ ସିଦ୍ଧୁ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ଏହି ସାକ୍ଷାତକାର ସମୟରେ କଂଗ୍ରେସର ପଞ୍ଜାବ ପ୍ରଭାରୀ ହରିଶ ରାଓ୍ବତ ମଧ୍ୟ ଉପସ୍ଥିତ ଥିଲେ। ଏହାକୁ ନେଇ ସେ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ପଞ୍ଜାବକୁ ନେଇ ଏପର୍ଯ୍ୟନ୍ତ କୌଣସି ଅନ୍ତିମ ନିଷ୍ପତ୍ତି ନିଆଯାଇନାହିଁ। ଶେଷ ନିର୍ଣ୍ଣୟ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ନେବେ ବୋଲି ହରିଶ କହିଛନ୍ତି। ସୂଚନାଯୋଗ୍ୟ, କିଛି ଦିନରୁ କଂଗ୍ରେସ ନଭଜୋତଙ୍କୁ ପଞ୍ଜାବର ୟୁନିଟର ଅଧ୍ୟକ୍ଷ କରିପାରେ ବୋଲି ଚର୍ଚ୍ଚା ହେଉଛି। ଏହି ସଙ୍କେତ ପରେ ପଞ୍ଜାବରେ ବିବାଦ ଘନେଇଛି।

Share