Categories: ଜାତୀୟ

ଦିଲ୍ଲୀରେ ବନ୍ୟା ଆଶଙ୍କା ନାହିଁ:କେଜ୍‌ରିଓ୍ବାଲ୍‌

ନୂଆଦିଲ୍ଲୀ,୧୦।୭: ରାଜଧାନୀ ଦିଲ୍ଲୀରେ ଲଗାତାର ପ୍ରବଳ ବର୍ଷା ହେତୁ ବିଭିନ୍ନ ସହର ଜଳମଗ୍ନ ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ସୋମବାର ଅପରାହ୍ନରେ ସଚିବାଳୟରେ ଏକ ବୈଠକ ଡାକିଥିଲେ। ଏହି ବୈକରେ ଯମୁନା ନଦୀର ଜଳସ୍ତର ବୃଦ୍ଧି ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।
ବୈଠକ ପରେ ଅରବିନ୍ଦ କେଜ୍‌ରିୱାଲ କହିଛନ୍ତି, ଗତ କିଛି ଦିନ ହେବ ବର୍ଷା ଦୀର୍ଘ ବର୍ଷର ରେକର୍ଡ ଭାଙ୍ଗିଛି। ୪୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଜୁଲାଇ ୮ ଏବଂ ୯ ରେ ୧୫୩ ମିଲିମିଟର ବର୍ଷା ହୋଇଛି। ଏବେ କାହାକୁ ଦୋଷ ଦେବା ସମୟ ନୁହେଁ, ପରସ୍ପରକୁ ସମର୍ଥନ କରିବାର ସମୟ ଆସିଛି।
ଦିଲ୍ଲୀରେ ବନ୍ୟା ହେବାର ଆଶଙ୍କା ଅଛି କି ପ୍ରଶ୍ନରେ କେଜ୍‌ରିୱାଲ କହିଛନ୍ତି, ଏହା ଯମୁନାକୁ ଅନ୍ୟ ରାଜ୍ୟରୁ ଆସୁଥିବା ଜଳ ଉପରେ ନିର୍ଭର କରେ। ୧୯୭୮ରେ ସାତ ଲକ୍ଷ କ୍ୟୁସେକ ଜଳ ଛାଡିବା ପରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଯଦି ପାଣିପାଗ ବିଭାଗକୁ ବିଶ୍ୱାସ କରାଯାଏ, ତେବେ ଆଗାମୀ ଦିନରେ ଏଭଳି ପରିସ୍ଥିତି ଦୃଶ୍ୟମାନ ହେବ ନାହିଁ। ଯଦି ଜଳ ସ୍ତର ୨୦୬ ଅତିକ୍ରମ କରେ, ତେବେ ଉଦ୍ଧାର କାର୍ଯ୍ୟ ଏବଂ ଲୋକଙ୍କୁ ସ୍ଥାନାନ୍ତର କରାଯିବ।
ଏଥି ସହିତ ଦିଲ୍ଲୀ-ଏନସିଆରରେ ଲଗାତାର ପ୍ରବଳ ବର୍ଷା ଏବଂ ପାଣିପାଗ ବିଭାଗର ଚେତାବନୀକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ସୋମବାର ଏମସିଡି, ସରକାରୀ ଏବଂ ବେସରକାରୀ ବିଦ୍ୟାଳୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Share