ଗରିବଙ୍କ ପେଟକୁ ଜୁଟୁନି ଦାନା: ଖତ ଖାଇଗଲା ୧୨୬୫ କ୍ୱିଣ୍ଟାଲ ଗହମ

ଭୋପାଳ, ୧୫।୭: କରୋନା ସଂକ୍ରମଣ ଯୋଗୁ ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। କାମଧନ୍ଧା ନ କରି ପାରି ଗରିବଙ୍କ ପେଟକୁ ଦାନା ଜୁଟୁନି। ଏପରିସ୍ଥଳେ ପ୍ରଶାସନର ଅବହେଳା ଯୋଗୁ ମଧ୍ୟପ୍ରଦେଶରେ ୧୨୬୫ କ୍ୱିଣ୍ଟାଲ ଗହମ ଖତ ଖାଇଯାଇଛି। ଏଭଳି ଘଟଣା କାନଓ୍ବନରେ ଘଟିଛି। ସ୍ଥାନୀୟ ଏକ ଗୋଷ୍ଠୀ ଉନ୍ନୟନ ସେବା ସହକାରିି ସମିତିର କାର୍ଯ୍ୟାଳୟ ବାହାରେ ଦୀର୍ଘଦିନ ଧରି ଗହମ ପଡ଼ି ରହି ଶେଷରେ ନଷ୍ଟ ହୋଇଯାଇଛି। ଏନେଇ ସମିତିର ଶାଖା ପ୍ରବନ୍ଧକ ଓମ୍‌ ପ୍ରକାଶ ଚୌହ୍ବାନ କହିଛନ୍ତି ଯେ, ଗହମକୁ ସ୍ଥାନାନ୍ତର କରାଯିବା ପାଇଁ ଉଦ୍ୟମ ହୋଇଥିଲା। ତେବେ କରୋନା ସଂକ୍ରମଣ ଯୋଗୁ ଘୋଷଣା ହୋଇଥିବା ଲକ୍‌ଡାଉନ୍‌ ଯୋଗୁ ତାହା ସମ୍ଭବ ହୋଇ ପାରି ନ ଥିଲା। ପ୍ରାକ୍‌-ମୌସୁମୀ ବର୍ଷାରେ ଭିଜି ଯିବା ପରେ ଗହମ ଖତ ହୋଇଯାଇଥିଲା। ଏହାପରେ ପ୍ଲାଷ୍ଟିକ୍‌ ପାଲ ଘୋଡ଼ା ଯାଇଥିଲେ ମଧ୍ୟ ଗହମ ସୁରକ୍ଷିତ ରହି ପାରି ନ ଥିଲା। କରୋନା ସଙ୍କଟ ସମୟରେ ଲୋକଙ୍କ ପାଖରେ ଖାଦ୍ୟ ପହଞ୍ଚାଉଥିବା ସଂସ୍ଥା ‘ଜୟ ହୋ’ର ଅଧ୍ୟକ୍ଷ ଡ. ଅଶୋକ ଶାସ୍ତ୍ରୀ କହିଛନ୍ତି ଯେ, ଏହି ଗହମ ଦ୍ୱାରା ୨ ମାସ ପର୍ଯ୍ୟନ୍ତ ଏକ ହଜାର ଲୋକଙ୍କ ଖାଦ୍ୟ ସମସ୍ୟାର ସମାଧାନ ହୋଇପାରିଥାନ୍ତା। ତେବେ ପ୍ରଶାସନିକ ଅବହେଳା କାରଣରୁ ଏହା ସମ୍ଭବ ହୋଇ ପାରି ନାହିଁ।

Share