ଗୁଆହାଟୀ,୨୮।୨ : ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ମଙ୍ଗଳବାର କହିଛନ୍ତି ଯେ ତ୍ରିପୁରା, ନାଗାଲାଣ୍ଡ ଏବଂ ମେଘାଳୟର କିଛି ନିର୍ବାଚନ ସର୍ଭେରେ ପୂର୍ବାନୁମାନ ଅନୁଯାୟୀ କୁହାଯାଉଥିବା ତ୍ରିଶଙ୍କୁ ସ୍ଥିତି ହେବ ନାହିଁ। ନର୍ଥ ଇଷ୍ଟ ଡେମୋକ୍ରାଟିକ ଆଲାଏନ୍ସ(ଏନଇଡିଏ) ସଂଯୋଜକ ହିମନ୍ତ କହିଛନ୍ତି ଯେ ଏନଡିଏ (ନ୍ୟାଶନାଲ ଡେମୋକ୍ରାଟିକ ଆଲାଇନ୍ସ) କଂଗ୍ରେସ କିମ୍ବା ତୃଣମୂଳ କଂଗ୍ରେସ କାହା ସହ କୌଣସି ମେଣ୍ଟ ଗଠନ କରିବେ ନାହିଁ।
ଏହି ତିନୋଟି ପୂର୍ବୋତ୍ତର ରାଜ୍ୟରେ ଏନଡିଏ ସରକାର ଗଠନ ହେବ। ଏହି ତିନୋଟି ରାଜ୍ୟରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ବିଷୟରେ ପଚରାଯିବାରୁ ସେ କହିଛନ୍ତି ଯେ ତ୍ରିପୁରା ଏବଂ ନାଗାଲାଣ୍ଡରେ ସ୍ଥିତି ବଜାୟ ରହିବ। ତ୍ରିପୁରାରେ ଭାଜପା ମୁଖ୍ୟମନ୍ତ୍ରୀ ଥିବାବେଳେ ଆମେ ନାଗାଲାଣ୍ଡରେ ଏକ ମିଳିତ ସରକାରରେ ରହିଛୁ।
ମେଘାଳୟରେ ଭାଜପା ଜିତିଥିବା ଆସନ ସଂଖ୍ୟା ଉପରେ ବିଚାର କରିବା ପରେ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ନିଷ୍ପତ୍ତି ନିଆଯିବ।