ନୂଆଦିଲ୍ଲୀ,୨୫।୩: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୫ତମ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଦୁଇ ନୂଆ ଫ୍ରାଞ୍ଚାଇଜ ସମେତ ୧୦ ଦଳ ଭଲ ସ୍କାଡ ଗଠନ କରିଛନ୍ତି। କିନ୍ତୁ ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କରଙ୍କ ମତରେ ପଞ୍ଜାବ କିଙ୍ଗ୍ସ ପାଇଁ ଆଇପିଏଲ୍ ହାତେଇବା କଷ୍ଟକର। କିନ୍ତୁ ଏହା ଅନେକଙ୍କୁ ଚକିତ କରିପାରେ।
“ଏପର୍ଯ୍ୟନ୍ତ ଆଇପିଏଲ ଜିତି ପାରି ନ ଥିବା ଫ୍ରାଞ୍ଚାଇଜ ତାଲିକାରେ ପଞ୍ଜାବ କିଙ୍ଗ୍ସ ମଧ୍ୟ ରହିଛି। ଏଥର ମୋ ମତରେ ସେମାନଙ୍କ ପାଖରେ ପ୍ରଭାବୀ ଖେଳାଳି ନାହାନ୍ତି। କିନ୍ତୁ ଏହା ଦଳକୁ ଫାଇଦା ଦେଇପାରେ। ଯେତେବେଳେ ଦଳଠାରୁ ଆଶା କମ୍ ଥାଏ, ସେତେବେଳେ ଖେଳାଳିଙ୍କ ଉପରେ ଚାପ ମଧ୍ୟ କମ ରହେ। ଚାପ ନ ଥିଲେ ଖେଳାଳିମାନେ ସେମାନଙ୍କ ଶୈଳୀରେ ଖେଳନ୍ତି। ଏହି ପରିପେକ୍ଷୀରେ, ମୋ ମତରେ ପଞ୍ଜାବ କିଙ୍ଗ୍ସ ଅନେକଙ୍କୁ ଚକିତ କରିପାରେ। ମାତ୍ର ସେମାନେ ଟ୍ରଫି ଜିତିପାରିବେ କି? ମୋର ସନ୍ଦେହ ଅଛି” ବୋଲି ଗାଭାସ୍କର କହିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ମାସରେ ଅନୁଷ୍ଠିତ ଆଇପିଏଲ ମେଗା ଅକଶନରେ ପଞ୍ଜାବ ଜନ୍ନି ବେଆଷ୍ଟୋ, କାଗିସୋ ରବାଡା, ଲିଆମ ଲିଭିଂଷ୍ଟୋନ, ଶାହରୁଖ ଖାନ, ଶିଖର ଧାଓ୍ବନଙ୍କ ଭଳି ଷ୍ଟାରଙ୍କୁ କିଣିଛି। ଏଥର ମୟଙ୍କ ଅଗ୍ରଓ୍ବାଲଙ୍କ ପଞ୍ଜାବ ଦଳର ନେତୃତ୍ୱ ନେବେ।