ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ କର୍ମଚାରୀ ଏବଂ ଫେନ୍ସନଭୋଗୀଙ୍କୁ ଅର୍ଥ ମନ୍ତ୍ରଣାଳୟର ସ୍ପଷ୍ଟୀକରଣ ନିରାଶ କରିବ। ଚଳିତବର୍ଷ ଜୁଲାଇରୁ କେନ୍ଦ୍ର କର୍ମଚାରୀଙ୍କୁ ବର୍ଦ୍ଧିତ ମହଙ୍ଗା ଭତ୍ତା (ଡିଏ) ଏବଂ ପେନ୍ସନଭୋଗୀଙ୍କୁ ଡିୟରନେସ ରିଲିଫ(ଡିଆର୍) ମିଳିବନି ବୋଲି ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ କରିଛି। ଏ ନେଇ କୌଣସି ଅଫିିସିଆଲ ମେମୋରାଣ୍ଡମ ଜାରି କରାଯାଇ ନ ଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ଗତବର୍ଷ ଏପ୍ରିଲରେ ବଢିଥିବା ମହଙ୍ଗା ଭତ୍ତା ଏବଂ ଡିଆର୍ ପ୍ରଦାନକୁ ଅର୍ଥ ମନ୍ତ୍ରଣାଳୟ ୨୦୨୧ ଜୁଲାଇ ପର୍ଯ୍ୟନ୍ତ ରୋକ୍ ଲଗାଇଥିଲା।
ଜୁଲାଇରୁ ସରକାର ଡିଏ ଏବଂ ଡିଆର୍ ଜାରି କରିବେ ବୋଲି ସୋସିଆଲ ମିଡିଆରେ ଏକ ମିଥ୍ୟା ନୋଟିଫିକେଶନ ଘୂରି ବୁଲୁଛି। ଡିଏ ଏବଂ ଡିଆର୍ ପୁଣି ଥରେ ଜାରି କରାଯିବ ବୋଲି ଏଥିରେ କୁହାଯାଇଛି। ମାତ୍ର ଏହି ବିଜ୍ଞପ୍ତି ମିଥ୍ୟା ବୋଲି ମନ୍ତ୍ରଣାଳୟ କହିଛି। କେନ୍ଦ୍ର ସରକାର ଏପ୍ରିଲ ୨୩ରେ ଏକ ନୋଟିଫିକେସନ ଜାରି କରି କହିଥିଲେ, ୧ ଜାନୁୟାରୀ ୨୦୨୦ରୁ ୩୦ ଜୁନ ୨୦୨୧ ଅବଧିରେ କୌଣସି ପ୍ରକାରର ଏରିୟର ବା ବକେୟା ଜାରି କରାଯିବ ନାହିଁ। ଜୁଲାଇ ପହିଲାରୁ ଡିଏ-ଡିଆର୍ ଲାଗୁ କରିବା ଏବଂ ଏରିୟର ପ୍ରଦାନ ନେଇ ଅର୍ଥ ମନ୍ତ୍ରଣାଳୟ, ନ୍ୟାଶନାଲ କାଉନସିଲ ଫର ଜଏଣ୍ଟକନସଲଟେଟିଭ ମେଶିନାରୀ(ଜେସିଏମ), ଡିପାର୍ଟମେଣ୍ଟ ଅଫ୍ ପର୍ସୋନେଲ ଆଣ୍ଡ ଟ୍ରେନିଂ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ମାତ୍ର ଏହି ବୈଠକରେ କ’ଣ ନିଷ୍ପତ୍ତି ହେଲା ସେ ନେଇ ଅର୍ଥ ମନ୍ତ୍ରଣାଳୟ କିମ୍ବା ଜେସିଏମ୍ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ।
୧୮ ମାସରୁ ମିଳିନି ଡିଏ-ଡିଆର୍
କୋଭିଡ୍-୧୯ ଯୋଗୁ ୧ ଜାନୁୟାରୀ ୨୦୨୦ରୁ ଡିଏ ଏବଂ ଡିଆର୍ ପ୍ରଦାନ ଉପରେ ରୋକ୍ ଲାଗିଛି। ଏହି କାରଣରୁ କେନ୍ଦ୍ର କର୍ମଚାରୀ ଏବଂ ପେନ୍ସନଭୋଗୀଙ୍କୁ ୨୦୨୦ ଜାନୁୟାରୀ ପହିଲାରୁ ୨୦୨୧ ଜୁନ ୩୦ ମଧ୍ୟରେ (୧୮ ମାସ) ଡିଏ-ଡିଆର୍ ମିଳିନାହିଁ। କେନ୍ଦ୍ର କର୍ମଚାରୀ ଏବଂ ପେନ୍ସନଭୋଗୀଙ୍କ ଡିଏ ପ୍ରତି ୬ ମାସରେ ବୃଦ୍ଧି ହୋଇଥାଏ। ୨୦୨୦ ଜାନୁୟାରୀରେ ଡିଏ ୪%, ଜୁନ ୨୦୨୦ରେ ୩% ଏବଂ ଜାନୁୟାରୀ ୨୦୨୧ରେ ୪% ବୃଦ୍ଧି ହୋଇଥିଲା।
୨୮%ରେ ପହଞ୍ଚିଯିବ ଡିଏ
ବର୍ତ୍ତମାନ କେନ୍ଦ୍ର କର୍ମଚାରୀଙ୍କୁ ୧୭% ମହଙ୍ଗା ଭତ୍ତା ମିଳୁଛି। ଗତ ୩ଟି କିସ୍ତିରେ ବଢିଥିବା ଭତ୍ତାର ହାରକୁ ଦେଖିଲେ ଏହା ୨୮%ରେ ପହଞ୍ଚିବ। କେନ୍ଦ୍ର ସରକାର ଯଦି ଚଳିତ ବର୍ଷ ଜୁଲାଇରୁ ମହଙ୍ଗା ଭତ୍ତା ପ୍ରଦାନ ନେଇ ନିଷ୍ପତ୍ତି ନିଅନ୍ତି ତେବେ ୨୮% ହାରରେ ଭତ୍ତା ଦେବାକୁ ପଡିବ। ଏହାର ଲାଭ ପେନ୍ସନଭୋଗୀଙ୍କୁ ମଧ୍ୟ ମିଳିବ। ଉଲ୍ଲେଖଯୋଗ୍ୟ କେନ୍ଦ୍ର ସରକାରଙ୍କ ଅଧୀନରେ ୫୨ ଲକ୍ଷ କର୍ମଚାରୀ ଏବଂ ୬୦ ଲକ୍ଷ ପେନ୍ସନଭୋଗୀ ରହିଛନ୍ତି।