Categories: ଖେଳ

ଆଇସିସି ଟୁର୍ନାମେଣ୍ଟର ଶ୍ରେଷ୍ଠ ଦଳରେ ନାହାନ୍ତି ଭାରତୀୟ ଖେଳାଳି

ଦୁବାଇ,୧୫।୧୧: ଟି୨୦ ବିଶ୍ୱକପ୍‌ ରବିବାର ଶେଷ ହେବା ପରେ ଆଇସିସି ପକ୍ଷରୁ ପ୍ରକାଶ ପାଇଛି ଟିମ୍‌ ଅଫ୍‌ ଦି ଟୁର୍ନାମେଣ୍ଟ। ଏହି ଦଳରେ ଚାମ୍ପିୟନ ଅଷ୍ଟ୍ରେଲିଆ, ରନର୍ସଅପ୍‌ ନ୍ୟୁଜିଲାଣ୍ଡ ସମେତ ୬ ଦେଶର ଖେଳାଳି ସ୍ଥାନ ପାଇଛନ୍ତି। କିନ୍ତୁ ସବୁଠୁ ବଡ଼ କଥା ହେଲା କୌଣସି ଭାରତୀୟ ଖେଳାଳି ଦଳରେ ସ୍ଥାନ ପାଇ ନାହାନ୍ତି। ପାକିସ୍ତାନ ଅଧିନାୟକ ବାବର ଆଜାମଙ୍କୁ ଦଳର ନେତୃତ୍ୱ ଦିଆଯାଇଛି।

ପାକିସ୍ତାନ ଓ ନ୍ୟୁଜିଲାଣ୍ଡଠାରୁ ପରାଜୟ ପରେ ଲଗାତାର ୩ ବିଜୟ ହାସଲ କରିବା ସତ୍ତ୍ୱେ ଲିଗ୍‌ ପର୍ଯ୍ୟାୟରୁ ଅଭିଯାନ ଶେଷ କରିଥିଲା ଭାରତ।

ଆଇସିସିର ଜୁରି ସଦସ୍ୟଙ୍କ ମତରେ ‘ଟିମ୍‌ ଅଫ୍‌ ଟୁର୍ନାମେଣ୍ଟ’ରେ ସ୍ଥାନ ପାଇବା ପାଇଁ ଟିମ୍‌ ଇଣ୍ଡିଆର କୌଣସି ଖେଳାଳି ଯୋଗ୍ୟ ନୁହେଁ। ଭାରତ ଭଳି ସେମିଫାଇନାଲକୁ ଉନ୍ନୀତ ହେବାରେ ବିଫଳ ହୋଇଥିବା ଦକ୍ଷିଣ ଆଫ୍ରିକାର ଏଡେନ ମାରକ୍ରାମ ଓ ଅନରିଚ ନର୍ଟଜେ ଏବଂ ଶ୍ରୀଲଙ୍କାର ଚରିଥା ଅଶଲଙ୍କା ଓ ଓ୍ବାନିନ୍ଦୁ ହାସରଙ୍ଗାଙ୍କୁ ଦଳରେ ସ୍ଥାନ ଦିଆଯାଇଛି। ଏହି ଦଳରେ ଚାମ୍ପିୟନ ଅଷ୍ଟ୍ରେଲିଆ, ରନର୍ସଅପ୍‌ ନ୍ୟୁଜିଲାଣ୍ଡ ସହ ଦୁଇ ସେମିଫାଇନାଲିଷ୍ଟ ପାକିସ୍ତାନ ଓ ଇଂଲଣ୍ଡର ତାରକା ଖେଳାଳିମାନେ ସ୍ଥାନ ପାଇଛନ୍ତି।

ଟିମ୍‌ ଅଫ୍‌ ଟୁର୍ନାମେଣ୍ଟ: ଡେଭିଡ୍‌ ଓ୍ବାର୍ନର (ଅଷ୍ଟ୍ରେଲିଆ), ଜୋସ ବଟଲର (ଉଇକେଟ କିପର, ଇଂଲଣ୍ଡ), ବାବର ଆଜାମ (ଅଧିନାୟକ, ପାକିସ୍ତାନ), ଚାରିଥ ଅଶଲଙ୍କା (ଶ୍ରୀଲଙ୍କା), ଏଡେନ ମାରକ୍ରାମ (ଦକ୍ଷିଣ ଆଫ୍ରିକା), ମୋଇନ ଅଲି (ଇଂଲଣ୍ଡ), ଓ୍ବାନିନ୍ଦୁ ହାସରଙ୍ଗା (ଶ୍ରୀଲଙ୍କା), ଆଡମ ଜାମ୍ପା ଓ ଜୋଶ ହାଜେଲଉଡ୍‌ (ଅଷ୍ଟ୍ରେଲିଆ), ଟ୍ରେଣ୍ଟ ବୋଲ୍ଟ (ନ୍ୟୁଜିଲାଣ୍ଡ), ଅନରିଚ୍‌ ନର୍ଟଜେ (ଦକ୍ଷିଣ ଆଫ୍ରିକା), ଶାହିନ ଶାହା ଆଫ୍ରିଦୀ( ଦ୍ୱାଦଶ ଖେଳାଳି, ପାକିସ୍ତାନ)।