ନୂଆଦିଲ୍ଲୀ,୯।୧୨: ଏଣିକି କୌଣସି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ଘରକାନ୍ଥରେ ସୂଚନା ପୋଷ୍ଟର ଲଗାଯିବ ନାହିଁ। ଏସମ୍ପର୍କରେ ବୁଧବାର ସୁପ୍ରିମ୍କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଏଭଳି କରିବା ଦ୍ୱାରା ଲୋକଙ୍କ ମଧ୍ୟରେ ବିଭାଜନ ହେଉଥିବା କୋର୍ଟ କହିଛନ୍ତି। କେତେକ ଆକ୍ରାନ୍ତଙ୍କୁ ଲୋକେ ଅଛୁଆଁ ବିବେଚିତ କରୁଛନ୍ତି। ଏହାଦ୍ୱାରା ଆକ୍ରାନ୍ତଙ୍କ ମାନସିକ ସ୍ଥିତି ବିପର୍ଯ୍ୟସ୍ତ ହେଉଥିବାର କୋର୍ଟ କହିଛନ୍ତି। ପଡ଼ୋଶୀମାନେ ଆକ୍ରାନ୍ତ ପରିବାର ପ୍ରତି କେତେକ କ୍ଷେତ୍ରରେ ଖରାପ ବ୍ୟବହାର ପ୍ରଦର୍ଶନ କରୁଛନ୍ତି। ତେଣୁ ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ପାଇଁ ବ୍ୟବହାର କରାଯାଉଥିବା ପୋଷ୍ଟର ଲଗାଇବାକୁ ସର୍ବୋଚ୍ଚ ନ୍ୟାୟାଳୟ ବାରଣ କରିଛନ୍ତି। ବିପର୍ଯ୍ୟୟ ପରିଚାଳନା ଅଧିନିୟମ ଅନୁସାରେ ସ୍ବତନ୍ତ୍ର ଅଧିକାରୀଙ୍କଠାରୁ ଏସମ୍ପର୍କିତ କୌଣସି ନିର୍ଦ୍ଦେଶ ଦିଆଗଲେ ପୋଷ୍ଟର ଲଗାଯାଇ ପାରିବ। ଅନ୍ୟଥା ନୁହେଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ଆଇନଜୀବୀ କୁଶ କର୍ଲାଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଏକ ମାମଲାର ବିଚାର କରି ବିଚାରପତି ଅଶୋକ ଭୂଷଣଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏଭଳି ନିର୍ଦ୍ଦେଶ ଜାରି କରିଛନ୍ତି। କୁଶ ଆବେଦନ କହିଥିଲେ ଯେ, ଏଭଳି କରିବା ଦ୍ୱାରା ଗୋପନୀୟତା ମୌଳିକ ଅଧିକାର କ୍ଷୂର୍ଣ୍ଣ ହେଉଛି। ତେଣୁ ଏହା କରାଯିବା ଅନୁଚିତ।