ପୁରୀ ଅଫିସ, ୨୭।୧୧: ଦାରୁଦିଅଁଙ୍କ ନାଗାର୍ଜୁନ ବେଶ ଖୁବ୍ ଆକର୍ଷଣୀୟ ଓ ମନୋମୁଗ୍ଧକର। ଏହି ବେଶରେ ଠାକୁରମାନେ ଯାହା ବିଭୂଷିତ ହୁଅନ୍ତି ତାହାକୁ କାରିଗରମାନେ ନିଷ୍ଠା ଓ ଏକାଗ୍ରତାର ସହ ତିଆରି କରିଥାନ୍ତି। ସୋଲ, କନା, ଜରି, ବେତ ଓ କଇଁଥ ଅଠାରେ ହାଣ୍ଡିଆ, ଢେଣୁ, ନିଶଦାଢି, ଛୁରି, କଟାରୀ, ବାଘଛାଲ, ସିଙ୍ଗଡ଼ା, କଲିଫି, ଓଳମାଳ ଆଦି ତିଆରି କରିଥାନ୍ତି। ସେହିପରି ସ୍ବର୍ଣ୍ଣ ନିର୍ମିତ ଶ୍ରୀଭୁଜ, ଶ୍ରୀପୟର, ବାଘନଖିମାଳି, ହରିଡ଼ା ମାଳି ଏବଂ ଶ୍ରୀଜଗନ୍ନାଥଙ୍କ ହସ୍ତରେ ଶଙ୍ଖ, ଚକ୍ର ଓ ଶ୍ରୀବଳଭଦ୍ରଙ୍କ ହସ୍ତରେ ହଳ, ମୂଷଳ ଧାରଣ କରି ବୀର ବେଶରେ ସଜ୍ଜିତ ହୋଇଥାନ୍ତି। ଶ୍ରୀମନ୍ଦିର ସେବାୟତମାନଙ୍କ ମଧ୍ୟରୁ ଭିତରଚ୍ଛ ମହାପାତ୍ର, ତଳିଚ୍ଛ ମହାପାତ୍ର, ପୁଷ୍ପାଳକ ସେବକମାନେ ଠାକୁରମାନଙ୍କୁ ଏହି ବେଶରେ ସଜାଇଥାନ୍ତି। ଏଥିରେ ଖୁଣ୍ଟିଆ ଓ ମେକାପ ସେବକମାନେ ସାହାଯ୍ୟ କରିଥାନ୍ତି।
ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ର କୁହନ୍ତି, ନାଗାର୍ଜୁନ ବେଶ କେବେଠାରୁ ଆରମ୍ଭ ହେଲା ଏବଂ ଏହାର ଇତିହାସ ସମ୍ପର୍କରେ କୌଣସି ତଥ୍ୟ ନାହିଁ। କିନ୍ତୁ ପୁରୀରେ ନାଗା ସମ୍ପ୍ରଦାୟର ଅଭ୍ୟୁଦୟ ପରେ ଏହା ଆରମ୍ଭ ହୋଇଥିବା ଅନୁମାନ କରାଯାଏ। କାରଣ ଶ୍ରୀରାମାନନ୍ଦ ଆଚାର୍ଯ୍ୟ ପୁରୀରେ ପଦାର୍ପଣ କରିବା ପରେ ଶ୍ରୀକ୍ଷେତ୍ର, ଶ୍ରୀମନ୍ଦିର ଏବଂ ଶ୍ରୀଜଗନ୍ନାଥଙ୍କ ସୁରକ୍ଷା ପାଇଁ ଆଖଡ଼ା ପ୍ରତିଷ୍ଠା କରିଥିଲେ। ଏହି ଆଖଡ଼ାରେ ତାଙ୍କ ସମ୍ପ୍ରଦାୟର ନାଗାମାନେ ରହୁଥିଲେ। ଇତିହାସରୁ ଜଣାଯାଏ ସେମାନେ ନିଜ ଜୀବନକୁ ଉତ୍ସର୍ଗ କରି ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥଙ୍କୁ ସୁରକ୍ଷା ଦେଇଥିଲେ। ସେଥିପାଇଁ ଭୋଇ ବଂଶର ଗଜପତି ସେମାନଙ୍କ ତିଳକକୁ ସମ୍ମାନ ସ୍ବରୂପ ଶ୍ରୀମନ୍ଦିର ଅଁଳାବେଢାରେ ସ୍ଥାନ ଦେଇଥିଲେ। ଏହାପରେ ଜାଗା ଆଖଡ଼ାରେ ନାଗା ଉପାସନା କରିଥିଲେ। ନାଗାମାନେ ପୁରୁଷ ହେଲେ ମଧ୍ୟ ପୁରୀରେ ସେମାନଙ୍କୁ ବନଦୁର୍ଗା ମନ୍ତ୍ରରେ ଉପାସନା କରାଯାଏ। ତେଣୁ ନାଗାମାନଙ୍କ ସ୍ମୃତିକୁ ସ୍ମାରକୀ ରୂପେ ରଖିବା ପାଇଁ ଗଜପତି ଶ୍ରୀମନ୍ଦିରରେ ନାଗା ବେଶ ପ୍ରଚଳନ କରାଇଥିଲେ। ଆରମ୍ଭରୁ ଏହା ନାଗା ବେଶ ନାମରେ ନାମିତ ଥିଲା। ଅର୍ଜୁନ ବୀରତ୍ୱର ପ୍ରତୀକ ହୋଇଥିବାରୁ ପରବର୍ତ୍ତୀ ସମୟରେ ଲୋକମୁଖରେ ନାଗା ଶବ୍ଦ ସହିତ ଅର୍ଜୁନ ଶବ୍ଦ ମିଶି ନାଗାର୍ଜୁନ ବେଶ ଭାବେ ଏହା ପ୍ରସିଦ୍ଧ ହୋଇଛି ବୋଲି ଡ. ମିଶ୍ର ପ୍ରକାଶ କରିଛନ୍ତି।
କେବେ ହୋଇଥିଲା ନାଗାର୍ଜୁନ ବେଶ
ଗବେଷକ ଡ. ନରେଶ ଚନ୍ଦ୍ର ଦାଶଙ୍କ ସୂଚନା ଅନୁଯାୟୀ, ନାଗାର୍ଜୁନ ବେଶ ସଂକ୍ରାନ୍ତରେ ଠିକ୍ ଇତିହାସ କିମ୍ବା ପୁରାତନ କାଗଜାତ୍ ନାହିଁ। ଶ୍ରୀମନ୍ଦିର କାର୍ଯ୍ୟାଳୟ ରେକର୍ଡ ରୁମ୍ରେ ଥିବା ପୁରାତନ ନଥିରେ କେବଳ ୧୯୬୬ ମସିହାଠାରୁ ଏହି ବେଶ ସମ୍ବନ୍ଧରେ ସୂଚନା ଉଲ୍ଲେଖ ରହିଛି। ପ୍ରାୟ ୫୪ ବର୍ଷ ପୂର୍ବେ ୧୯୬୬ ମସିହା ନଭେମ୍ବର ୨୬ ତାରିଖ ମଳ ତ୍ରୟୋଦଶୀ ତିଥିରେ ଠାକୁରଙ୍କର ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥିଲା। ଏହାପରେ କ୍ରମାଗତ ଭାବେ ୧୯୬୭ ନଭେମ୍ବର ୧୬ ମଳ ଚତୁର୍ଦ୍ଦଶୀ, ୧୯୬୮ ନଭେମ୍ବର ୩ ମଳ ତ୍ରୟୋଦଶୀ ତିଥିରେ ଏହି ବେଶ କରାଯାଇଥିଲା। ଏହାର ୨୭ ବର୍ଷ ପରେ ଅର୍ଥାତ୍ ୧୯୯୩ ନଭେମ୍ବର ୨୬ ତାରିଖ ମଳ ଦ୍ୱାଦଶୀ ତିଥିରେ ନାଗାର୍ଜୁନ ବେଶ କରାଯାଇଥିଲା। ପୁନର୍ବାର ୧୯୯୪ ନଭେମ୍ବର ୧୬ ତାରିଖ ତ୍ରୟୋଦଶୀ ତିଥିରେ ରତ୍ନ ସିଂହାସନରେ ଏହି ବୀର ବେଶରେ ଦାରୁବିଗ୍ରହ ଦର୍ଶନ ଦେଇଥିଲେ।
ଦଳାଚକଟାରେ ଯାଇଥିଲା ୩ ଜୀବନ
୧୯୯୩ରେ ନାଗାର୍ଜୁନ ବେଶ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ହୋଇଥିଲା। ଏଥିରେ ଦଳାଚକଟା ଯୋଗୁ ୩ଜଣଙ୍କ ଜୀବନ ଯାଇଥିଲା। ୧୯୯୪ରେ ଉଭୟ ଜିଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ସେହିଦିନ ଶ୍ରୀମନ୍ଦିରକୁ ଦର୍ଶନାର୍ଥୀଙ୍କ ପ୍ରବେଶ ନେଇ କେତେକ କଟକଣା ଜାରି କରାଯିବା ସହ ଅଧିକ ସଂଖ୍ୟକ ପୋଲିସ ମୁତୟନ କରାଯାଇଥିଲା। ବେଶକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ଲାଗି ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଥିଲା। ବେଶ ପୂର୍ବଦିନ ଅର୍ଥାତ୍ ନଭେମ୍ବର ୧୫ ତାରିଖ ରାତି ୧୧ଟାରେ ଠାକୁରଙ୍କ ପହୁଡ଼ ନୀତି ହୋଇ ସେହି ରାତି ୨ଟାରେ ଦ୍ୱାରଫିଟା, ୨ଟା ୩୦ରେ ମଙ୍ଗଳ ଆଳତି, ୩ଟା ୫୦ରେ ଅବକାଶ ଏବଂ ୪ଟାରେ ନାଗାର୍ଜୁନ ବେଶ କରାଯିବା ଲାଗି ନିଷ୍ପତ୍ତି ହୋଇଥିଲା। ତେବେ ଏଥିରେ ସାମାନ୍ୟ ବିଳମ୍ବ ଘଟିଥିଲା। ଏହାସତ୍ତ୍ୱେ ଶାନ୍ତିଶୃଙ୍ଖଳାର ସହ ବେଶ ସମ୍ପନ୍ନ ହୋଇଥିବାବେଳେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଭକ୍ତଙ୍କୁ ଦର୍ଶନର ସୁଯୋଗ ମିଳିଥିଲା।