Advertisement

କାଞ୍ଜିଆହୁଦା ନାହିଁ, ମୁଖ୍ୟରାସ୍ତାରେ ବୁଲାଗୋରୁ

ନିମାପଡ଼ା,୧୯।୭(ବିଚିତ୍ରାନନ୍ଦ ସାହୁ): ପାଟପୁର ମୁଖ୍ୟରାସ୍ତା, ବଡ଼ ବଜାର ରାସ୍ତା, ଦୋଳବେଦି ଛକ ରାସ୍ତା ଏବେ ବୁଲା ଗୋରୁଙ୍କ ନିରାପଦ ଆଶ୍ରୟସ୍ଥଳୀ ପାଲଟିଛି। ମୁଖ୍ୟ ରାସ୍ତା, ବ୍ଲକ ଛକ, ତହସିଲ ଅଫିସ ଛକ, ଥାନା ଛକ, ଦୋଳବେଦି ଛକ ଉପରେ ଦୈନିକ ବହୁ ବୁଲା ଗୋରୁ ଶୋଇରହି ରାସ୍ତା ଅବରୋଧ କରୁଥିବାରୁ ଯାନବାହନ ଚଳାଚଳ, ସାଧାରଣ ଯାତାୟାତ ବହୁଳ ଭାବେ ବାଧାପ୍ରାପ୍ତ ହେଉଛି। ଗୋରୁଙ୍କ ମଧ୍ୟରେ ମରାମରି ଓ ମୁଖ୍ୟରାସ୍ତା ଅବରୋଧ ଯୋଗୁ ବିଭିନ୍ନ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟି ବହୁ ପଥଚାରୀ ଓ ଗାଡ଼ି ଚାଳକମାନେ ଆହତ ହେଉଥିବା ନଜିର ରହିଛି। ହେଲେ ଏ ଦିଗରେ ସ୍ଥାନୀୟ ଏନ୍‌ଏସି କର୍ତ୍ତୃପକ୍ଷଙ୍କ ଆଦୌ ଦୃଷ୍ଟି ପଡୁ ନ ଥିବା ବିଭିନ୍ନ ମହଲରୁ ତଥା ବଜାରର ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି। ମୁଖ୍ୟ ରାସ୍ତା, ବିଭିନ୍ନ ଛକ ଜାଗାଗୁଡ଼ିକରେ ରାସ୍ତା ଅବରୋଧ କରି ରହୁଥିବା ବୁଲା ଗୋରୁଙ୍କୁ ହଟାଯାଇ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ଦିଗରେ ଏନ୍‌ଏସି ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ଦେଖାଦେଇଛି। ତୁରନ୍ତ ମୁଖ୍ୟରାସ୍ତା, ବିଭିନ୍ନ ଛକଗୁଡ଼ିକରେ ରାସ୍ତା ଅବରୋଧ କରି ରହୁଥିବାରୁ ବୁଲା ଗୋରୁଙ୍କୁ ହଟାଯାଇ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ଦିଗରେ ବିହିତ ପଦକ୍ଷେପ ନେବାକୁ ଯୁବନେତା ପୂର୍ଣ୍ଣଚନ୍ଦ୍ର ସାହୁ, ସନ୍ତୋଷ ଓଝା, କାଶୀନାଥ ବେହେରା, ବ୍ୟବସାୟୀ କୈଳାସ ବେହେରା, ରାମଚନ୍ଦ୍ର ସାହୁ, ଭରତ ବେହେରା ପ୍ରମୁଖ ଏନ୍‌ଏସି କର୍ତ୍ତୃପକ୍ଷଙ୍କ ନିକଟରେ ଦୃଢ ଦାବି କରିଛନ୍ତି। ଏ ସମ୍ପର୍କରେ ଏନ୍‌ଏସି ଉପାଧ୍ୟକ୍ଷ ସନ୍ତୋଷ ଦାଶ, ପରିମଳ ଅଧିକାରୀ ବିଜୟ କୁମାର ଗ୍ରହାଚାର୍ଯ୍ୟଙ୍କୁ ପଚାରିବାରେ ଏନ୍‌ଏସି ପକ୍ଷରୁ ଡେଙ୍ଗୁରା, ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରାଯାଇ ଗୋରୁଙ୍କୁ ମୁଖ୍ୟ ରାସ୍ତାକୁ ନ ଛାଡ଼ି ଲୋକେ ନିଜ ନିଜ ଘରେ ବାନ୍ଧି ରଖିବାକୁ ବାରମ୍ବାର ଅବଗତ କରାଯିବା ସହ ସଚେତନ କରାଯାଉଥିବା କହିଛନ୍ତି। ଅନ୍ୟପକ୍ଷରେ ବୁଲା ଗୋରୁଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା, ମୁଖ୍ୟରାସ୍ତା, ବିଭିନ୍ନ ଛକଗୁଡ଼ିକରୁ ହଟାଯିବା ନେଇ ପରିଷଦର ଏହି ପଦକ୍ଷେପ ଯଥେଷ୍ଟ ନୁହେଁ ବୋଲି ବହୁ ବୁଦ୍ଧିଜୀବୀ ଓ ପୌରବାସୀ ମତ ପ୍ରକାଶ କରିଛନ୍ତି। ସ୍ଥାନୀୟ ଏନ୍‌ଏସି ପକ୍ଷରୁ କାଞ୍ଜିଆହୁଦାର ବ୍ୟବସ୍ଥା ନ ଥିବାରୁ ଏଭଳି ସମସ୍ୟା ସୃଷ୍ଟି ହେଉଥିବା ସେମାନେ କହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଦୀର୍ଘବର୍ଷ ପୂର୍ବରୁ ବୁଲାଗୋରଙ୍କୁ ରଖାଯିବା ପାଇଁ ଏନ୍‌ଏସି ପକ୍ଷରୁ ହାଟ ଛକଠାରେ ଏକ କାଞ୍ଜିଆହୁଦା ଗୃହର ବ୍ୟବସ୍ଥା ଥିଲା। ହେଲେ ଦୀର୍ଘ ୩୦ ବର୍ଷ ହେଲା ଏହି କାଞ୍ଜିଆହୁଦା ଗୃହଟି ଭାଙ୍ଗିରୁଜି ନିଶ୍ଚିହ୍ନ ହୋଇଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share