ରକ୍ଷଣାବେକ୍ଷଣ ହେଉନି: ନଷ୍ଟ ହେବାକୁ ବସିଲାଣି ପଞ୍ଚାୟତ ଉଦ୍ୟାନ

ମାଲକାନଗିରି,୧୮।୪ (ଡି.ଏନ.ଏ.):  ଗ୍ରାମ ପଞ୍ଚାୟତ ସଦରକୁ ସୌନ୍ଦର୍ଯ୍ୟକରଣ କରିବା ପାଇଁ ବହୁ ଅର୍ଥ ଖର୍ଚ୍ଚ ହେଉଛି। ତେବେ ରକ୍ଷଣାବେକ୍ଷଣ ଅଭାବରୁ କିଛି ବର୍ଷ ମଧ୍ୟରେ ସେସବୁ ନିଜର ପରିଚୟ ହରାଇବା ସ୍ଥିତିକୁ ଚାଲିଆସୁଛି। ଏପରି ଦେଖିବାକୁ ମିଳିଛି ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ସଦର ପଞ୍ଚାୟତରେ ଥିବା ପଞ୍ଚାୟତ ଉଦ୍ୟାନ କ୍ଷେତ୍ରରେ। କୋରୁକୋଣ୍ଡା ସଦର ପଞ୍ଚାୟତ ଗାଁ ପୋଖରୀ ନିକଟରେ ୨୦୨୦ ଫେବୃୟାରୀରେ ୧୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ପଞ୍ଚାୟତ ଉଦ୍ୟାନର ଶୁଭାରମ୍ଭ ହୋଇଥିଲା। ପୋଖରୀ ଚାରିପଟ ଆଲୋକୀକରଣ ପାଇଁ ୧୧ଟି ସୋଲାର ଲାଇଟ୍‌ ଲାଗିଥିଲା। ଏବେ କେବଳ ଗୋଟିଏ ଲାଇଟ ଜଳୁଥିବା ବେଳେ ବାକି ୧୦ଟି ଅଚଳ ହୋଇପଡିଛି। ଉଦ୍ୟାନରେ ପିଲାଙ୍କ ପାଇଁ ଖେଳ ସାମଗ୍ରୀ ସହ ବହୁ ବ୍ୟାୟମ ଉପକରଣ ରହିଛି। ରକ୍ଷଣାବେକ୍ଷଣ ଅଭାବରୁ ସେସବୁ ଉପରେ ଛୋଟ ଛୋଟ ଗଛ ଲତା ମାଡିଗିଲାଣି। ସେହିପରି ଉଦ୍ୟାନ ପରିସରରେ ଗୋଟିଏ ଆଇ ଲଭ କୋରୁକୋଣ୍ଡା ଲେଖାଥିବା ଲାଇଟିଂ ବୋର୍ଡ ଲଗାଯାଇଛି। ଏହାର ଯତ୍ନ ଅଭାବରୁ ଲାଇଟ ଅଚଳ ହୋଇପଡିଛି। ରାତିରେ ଏହା କୋରୁକୋଣ୍ଡା ବଦଳରେ ରୁକୁଣ୍ଡା ଲେଖା ଥିବା ଦେଖିବାକୁ ମିଳୁଛି। ଉଦ୍ୟାନଟି ମାଲକାନଗିରି ସଦରଠାରୁ ବାଲିମେଳା ଯିବା ମୁଖ୍ୟ ରାସ୍ତା ପାର୍ଶ୍ୱରେ ଥିବା ସହ କୋରୁକୋଣ୍ଡା ବ୍ଲକ କଲୋନୀ ପଛପଟ ହୋଇଥିଲେ ମଧ୍ୟ ଏହା ଉପରେ କାହାର ନଜର ନ ପଡିବା ପ୍ରଶାସନର ଅବହେଳାକୁ ସ୍ପଷ୍ଟ କରୁଛି। ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏପରି ଯଦି ଆଉ କିଛିଦିନ ଅବହେଳା ଜାରି ରହିବ ତେବେ ଉଦ୍ୟାନଟି କୋରୁକୋଣ୍ଡା ପଞ୍ଚାୟତରୁ ହଜିଯିବ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ତୁରନ୍ତ ଏ ଦିଗରେ ପ୍ରଶାସନ ପଦକ୍ଷେପ ନେବାକୁ ଦାବି ହେଉଛି।
ଫଟୋ: ଅବହେଳିତ ଅବସ୍ଥାରେ ରହିଥିବା ପଞ୍ଚାୟତ ଉଦ୍ୟାନ।