ରାଜସ୍ଥାନର ବାରମର ଜିଲାରେ ଏମିତି ଏକ ଗାଁ ଅଛି, ଯେଉଁଠାରେ ପ୍ରାୟ ୩୫୦ ବର୍ଷ ଧରି କୌଣସି ଘରେ ବିବାହ ହୋଇ ନାହିଁ। ଅର୍ଥାତ୍ ଗ୍ରାମର ସମସ୍ତ ଅବିବାହିତ ଯୁବତୀ-ଯୁବକଙ୍କ ବିବାହ ମନ୍ଦିରରେ ହିଁ ହୋଇଥାଏ।
ବିଶ୍ୱାସ କରାଯାଏ, ଯଦି ବିବାହ ମନ୍ଦିରରେ କରାଯାଏ ନାହିଁ, ତେବେ ବୋହୂ କିମ୍ବା ଝିଅଙ୍କ କୋଳ ପୂରିବ ନାହିଁ। ଏହି ବିଶ୍ୱାସ ହେତୁ ଆଜି ବି ଗାଁର ଯୁବତୀ ଯୁବକଙ୍କ ବିବାହ ଗାଁର ଚାମୁଣ୍ଡା ମାତା ମନ୍ଦିରରେ ହୋଇଥାଏ।
ଏହି ଗାଁର ନାଁ ଆଟି। ଜିଲା ମୁଖ୍ୟାଳୟଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ଅବସ୍ଥିତ। ମେଘୱାଲ ସମ୍ପ୍ରଦାୟର ଜୟପାଲ ଗୋତ୍ର ପରିବାର ଏହି ଗାଁରେ ରୁହନ୍ତି। ଗ୍ରାମବାସୀଙ୍କ କହିବାନୁସାରେ, ଝିଅଟି ଘରର ପ୍ରାଙ୍ଗଣରେ ବିବାହ ନ ହେବା ପର୍ଯ୍ୟନ୍ତ, ପ୍ରାଙ୍ଗଣଟି କୁଆଁରୀ ବୋଲି ବିବେଚନା କରାଯାଏ। ତେଣୁ ମନ୍ଦିରରେ ସାତଫେରା ନେବା ସହ ଖାଦ୍ୟ ଏବଂ ବିଦାୟ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମ ସମାପନ ହୁଏ। ଏପରିକି ମନ୍ଦିରରେ ଶୋଭାଯାତ୍ରା ମଧ୍ୟ ହୁଏନାହିଁ।
ପୁଅମାନଙ୍କ ବିବାହର ରୀତିନୀତି ମଧ୍ୟ ଏହି ମନ୍ଦିରରେ ସମ୍ପନ୍ନ ହୋଇଥାଏ। ମନ୍ଦିର କମିଟିର ସଭାପତି ମେହେରାମ ଜୟପାଲ କହିଛନ୍ତି, ମନ୍ଦିରରେ ଝିଅ-ପୁଅ ଉଭୟଙ୍କ ରୀତିନୀତି ମଧ୍ୟରେ ବିବାହ ସମ୍ପନ୍ନ ହୋଇଥାଏ। ବର ମନ୍ଦିରରେ ପହଞ୍ଚିବା ପରେ କନ୍ୟା ମଧ୍ୟ ମନ୍ଦିରକୁ ଆସିଥାଏ। ବିବାହ ପରଦିନ ସକାଳେ ବର ସହ ଘରକୁ ଯାଇଥାଏ।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ପ୍ରାୟ ୩୫୦ ବର୍ଷ ପୂର୍ବେ ଜୈସଲମେରର ଖୁଅଡ଼ି ଗାଁର ଜୟପାଲ ଗୌତ୍ର ଲୋକ ଆତି ଗ୍ରାମରେ ବସବାସ କରିଥିଲେ। ତା’ପରେ ସେ କାଠ ତିଆରି ମାତାଜୀଙ୍କ ପ୍ରତିମୂର୍ତ୍ତି ଆଣିଥିଲେ। ଗାଁର ତତ୍କାଳୀନ ଜମିଦାର ହମିର ସିଂ ରାଠୋର ତାଙ୍କୁ ଏଠାରେ ବସବାସ କରିବାକୁ ଏକ ସ୍ଥାନ ଦେଇଥିଲେ। ପରେ ଏହି ସମ୍ପ୍ରଦାୟର ଲୋକମାନେ ଏକ ମନ୍ଦିର ସ୍ଥାପନ କରି ମାତାଜୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଥିଲେ।
ଗ୍ରାମବାସୀ ମନ୍ଦିରକୁ ସେମାନଙ୍କର ଗୃହ ଭାବରେ ଗ୍ରହଣ କରିନେଇଛନ୍ତି। ତେଣୁ ମନ୍ଦିରରେ ଝିଅ ଏବଂ ପୁଅମାନଙ୍କୁ ବିବାହ କରିଆସୁଛନ୍ତି। ସମୟ ସହିତ ଏହା ଏକ ପରମ୍ପରାରେ ପରିଣତ ହୋଇଗଲାଣି। ବିଗତ ୩୫୦ ବର୍ଷ ଧରି ଏହି ପରମ୍ପରା ଚାଲିଆସିଛି। ଏକ ବିଶ୍ୱାସ ରହିଛି ମନ୍ଦିରରେ ବିବାହ ନ କଲେ ଝିଅ କିମ୍ବା ବୋହୂ ଗର୍ଭବତୀ ହେବେ ନାହିଁ। ମାତାଙ୍କ ଆଶୀର୍ବାଦ ରହିଲେ ମା’ ହେବାର ସୌଭାଗ୍ୟ ଅର୍ଜନ କରିଥାନ୍ତି।