କଠୋର ହେଲା ବିଏମ୍‌ସି: ଏଣିକି ମାସ୍କ ନ ପିନ୍ଧିଲେ କିଛି ମିଳିବ ନାହିଁ

ଭୁବନେଶ୍ୱର,୧୬।୭(ବ୍ୟୁରୋ): ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସେଥିରୁ ସର୍ବାଧିକ ଆକ୍ରାନ୍ତ ଖୋର୍ଦ୍ଧା ଜିଲାରୁ ଚିହ୍ନଟ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ କଡା ନିର୍ଦ୍ଦେଶନାମା ଜାରି କରିଛି। ତଦନୁଯାୟୀ ଏଣିକି ମାସ୍କ ନ ଥିଲେ ସାମଗ୍ରୀ ମିଳିବ ନାହିଁ। ନୋ ମାସ୍କ ନୋ ଏଣ୍ଟ୍ରି ପରେ ଏବେ ନୋ ମାସ୍କ ନୋ ଗୁଡ୍ସ । ଅର୍ଥାତ ମାସ୍କ ନାହିଁ ତ ପ୍ରବେଶ ନାହିଁ ଏବଂ ମାସ୍କ ନାହିଁ ତ ସାମଗ୍ରୀ ନାହିଁ । ପୂର୍ବ ନିୟମାବଳୀ ସହିତ ଏହି ନିର୍ଦ୍ଦେଶନାମା ପାଳନ କରାଯିବ। ଏନେଇ ସବୁ ବ୍ୟବସାୟିକ ପ୍ରତିଷ୍ଠାନ, ସରକାରୀ ଓ ବେସରକାରୀ ସମସ୍ତ କାର୍ଯ୍ୟାଳୟ ଏପରିକି ଭୁବନେଶ୍ୱରରେ ପ୍ରବେଶ କରୁଥିବା ଯାତ୍ରୀ, ପର୍ଯ୍ୟଟକ ଓ ବ୍ୟକ୍ତିବିଶେଷଙ୍କ ପାଇଁ ଏହି ନିୟମ କଡାକଡି ଭାବେ ଲାଗୁ କରାଯାଇଛି ।

ସେହିଭଳି ପେଟ୍ରୋଲ ଟାଙ୍କିରେ ବି ମାସ୍କ ନ ପିନ୍ଧିଲେ ପେଟ୍ରୋଲ ମିଳିବ ନାହିଁ ବୋଲି ନିୟମ ଜାରି ହୋଇଛି । ପୂର୍ବଭଳି ସାମାଜିକ ଦୂରତା, ହାତ ବିଶୋଧନ, ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ଆଦିକୁ ବାରଣ କରାଯାଇଛି । ଏଥିରେ ଖିଲାପ କଲେ କୋଭିଡ-୧୯ ପ୍ରତିଷେଧ ଆଇନ ଅନୁଯାୟୀ ଜରିମାନା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

Share