ପ୍ରୟାଗରାଜ, ୩୧।୭ : ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଯେ ଥରେ କରୋନା ଆକ୍ରାନ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ତାଙ୍କ ମୃତ୍ୟୁର କାରଣ ଯାହା ହେଲେ ମଧ୍ୟ ଏହାକୁ କରୋନା ମୃତ୍ୟୁ ଭାବେ ଗ୍ରହଣ କରାଯିବ। ମୃତ୍ୟୁର କାରଣ ଅନ୍ୟ କୌଣସି ବୋଲି ବିବେଚନା କରାଯିବ ନାହିଁ। ଯଦିଓ ହୃଦଘାତ କିମ୍ବା ଅନ୍ୟ କୌଣସି ଅଙ୍ଗ ଅକାମୀ ଯୋଗୁଁ ମୃତ୍ୟୁ ଘଟିଥାଇପାରେ। ମାତ୍ର ତାଙ୍କ ମୃତ୍ୟୁକୁ କେବଳ କରୋନା କାରଣରୁ ମୃତ୍ୟୁ ବୋଲି ବିବେଚନା କରାଯିବ।
କୁସୁମ ଲତା ଯାଦବ ଏବଂ ଅନ୍ୟାନ୍ୟଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନର ବିଚାର କରି ଦେଇ ଜଷ୍ଟିସ ଆର୍ ମାସୁଦି ଏବଂ ଜଷ୍ଟିସ ବିକ୍ରମ ଡି . ଚୌହାନଙ୍କ ନେତୃତ୍ୱରେ ଗଠିତ ଏକ ଡିଭିଜନ ବେଞ୍ଚ ଏଭଳି ରାୟ ପ୍ରଦାନ କରିଛନ୍ତି। ଏହା ସହିତ ଡିଭିଜନ ବେଞ୍ଚ ରାଜ୍ୟ କର୍ତ୍ତୃପକ୍ଷଙ୍କୁ ୩୦ ଦିନ ମଧ୍ୟରେ କରୋନା ମୃତକଙ୍କ ନିର୍ଭରଶୀଳ ପରିବାରଙ୍କୁ ଅନୁକମ୍ପାମୂଳକ ଆଥିକ ସହାୟତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଏକ ମାସ ମଧ୍ୟରେ ଏହି ରାଶି ପ୍ରଦାନ କରାଯାଏ ନାହିଁ, ତେବେ ନଅ ପ୍ରତିଶତ ସୁଧ ସହିତ ଦେବାକୁ ପଡିବ ବୋଲି କୋର୍ଟ କହିଛନ୍ତି।