କଲମ୍ବୋ,୨୨।୨: ଦେବାଳିଆ ହୋଇପଡ଼ିଥିବା ଶ୍ରୀଲଙ୍କାରେ ବାଲଟ ପେପର ଛାପିବାକୁ ଅର୍ଥ ନାହିଁ। ତେଣୁ ଆସନ୍ତା ମାସରେ ହେବାକୁ ଥିବା ସ୍ଥାନୀୟ ନିର୍ବାଚନକୁ ସ୍ଥଗିତ ରଖାଯାଇଛି। ଏହାକୁ ବିରୋଧ କରି ବିପକ୍ଷ ଦଳଗୁଡ଼ିକ ମଙ୍ଗଳବାର ପାର୍ଲାମେଣ୍ଟରେ ହଟ୍ଟଗୋଳ କରିବାରୁ ଗୃହକୁ ମୁଲତବୀ ରଖାଯାଇଛି। ଶ୍ରୀଲଙ୍କାରେ ଗତବର୍ଷ ଆର୍ଥତ୍କ ସଙ୍କଟକୁ ନେଇ ଦୀର୍ଘଦିନ ଆନ୍ଦୋଳନ ଜାରି ରହିବା ପରେ ରାନିଲ ଓ୍ବିକ୍ରମସିଂହେ ଜୁଲାଇରେ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ମାର୍ଚ୍ଚ ୯ରେ ହେବାକୁ ଥିବା ନିର୍ବାଚନରେ ତାଙ୍କ ପ୍ରତି ରହିଥିବା ସମର୍ଥନର ପରୀକ୍ଷା ହୋଇଥାନ୍ତା। ତେବେ ବାଲଟ ଛପାଇବା, ଇନ୍ଧନ ଏବଂ ବୁଥଗୁଡ଼ିକ ପାଇଁ ପୋଲିସ ସୁରକ୍ଷା ପ୍ରଦାନ ନିମନ୍ତେ ଅର୍ଥ ମଞ୍ଜୁର କରିବାକୁ ଟ୍ରେଜରି ବିଭାଗ ମନା କରିଦେଇଥିବା କୋର୍ଟଙ୍କୁ ନିର୍ବାଚନ କମିଶନ ଜଣାଇଛନ୍ତି। କର୍ମଚାରୀମାନଙ୍କୁ ବେତନ, ପେନ୍ସନ ଏବଂ ଜରୁରୀ ସେବା ପାଇଁ ଯଥେଷ୍ଟ ଅର୍ଥ ନ ଥିବାରୁ ନିର୍ବାଚନ ସମ୍ଭବ ନୁହେଁ ବୋଲି ପୂର୍ବରୁ ରାଷ୍ଟ୍ରପତି କହିଥିଲେ।