Categories: ଜାତୀୟ

ଆଉ ଯିବାକୁ ପଡ଼ିବନି ଆର୍‌ଟିଓ

ନୂଆଦିଲ୍ଲୀ, ୫।୩:ଲର୍ନର ଲାଇସେନ୍ସ, ଡ୍ରାଇଭିଂ ଲାଇସେନ୍ସ ନବୀକରଣ, ଗାଡ଼ି ପଞ୍ଜୀକରଣ ଏବଂ ଅନ୍ୟାନ୍ୟ ସେବା ପାଇଁ ଆଉ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)କୁ ଦୌଡ଼ିବାକୁ ପଡ଼ିବ ନାହିଁ। କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ନାଗରିକମାନଙ୍କ ପାଇଁ ଆଧାର ପ୍ରମାଣୀକୃତ ଯୋଗାଯୋଗବିହୀନ ସେବା ଆରମ୍ଭ ହୋଇଛି। ଏଥିରେ ୧୮ ସେବା ଉପଲବ୍ଧ ହେବ। ଏହି ନୂଆ ବ୍ୟବସ୍ଥା ସରକାରୀ ବିତରଣ ପ୍ରକ୍ରିୟାକୁ ସରଳ କରିବା ସହ ସ୍ବଚ୍ଛତା ଓ କାର୍ଯ୍ୟଦକ୍ଷତା ବଢ଼ାଇବ। ଆବେଦନକାରୀ ଅବାଧରେ ସିଧାସଳଖ ସେମାନଙ୍କ କାର୍ଯ୍ୟ କରାଇପାରିବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ଆଧାର ଭିତ୍ତିରେ ମିଳିବାକୁ ଥିବା ୧୮ଟି ସେବା ମଧ୍ୟରେ ରହିଛି ଲର୍ନର୍ସ ଲାଇସେନ୍ସ, ଡ୍ରାଇଭିଂ ଲାଇସେନ୍ସ ନବୀକରଣ, ଡୁପ୍ଲିକେଟ ଡ୍ରାଇଭିଂ ଲାଇସେନ୍ସ, ଡ୍ରାଇଭିଂ ଲାଇସେନ୍ସ ଏବଂ ପଞ୍ଜୀକରଣ ସାର୍ଟିଫିକେଟରେ ଠିକଣା ପରିବର୍ତ୍ତନ, ଅନ୍ତର୍ଜାତୀୟ ଡ୍ରାଇଭିଂ ପର୍‌ମିଟ, ଲାଇସେନ୍ସରୁ ଗାଡ଼ି ବର୍ଗର ସରେଣ୍ଡର, ମୋଟରଯାନ ପାଇଁ ଅସ୍ଥାୟୀ ପଞ୍ଜୀକରଣ ଆବେଦନ, ସମ୍ପୂର୍ଣ୍ଣ ବିଲ୍ଟ ବଡି ସହ ମୋଟର ଯାନ ପଞ୍ଜୀକରଣ ପାଇଁ ଆବେଦନ, ଡୁପ୍ଲିକେଟ ପଞ୍ଜୀକରଣ ସାର୍ଟିଫିକେଟ ଇସ୍ୟୁ ପାଇଁ ଆବେଦନ, ପଞ୍ଜୀକରଣ ସାର୍ଟିଫିକେଟ ପାଇଁ ଏନ୍‌ଓସି ନିମନ୍ତେ ଆବେଦନ, ମୋଟର ଯାନ ମାଲିକାନା ପରିବର୍ତ୍ତନ ପାଇଁ ବିଜ୍ଞପ୍ତିି, ମୋଟରଯାନ ମାଲିକାନା ପରିବର୍ତ୍ତନ ଲାଗି ଆବେଦନ ଇତ୍ୟାଦି। ପୋର୍ଟାଲ ମାଧ୍ୟମରେ ଉପରୋକ୍ତ ସେବା ପାଇବା ପାଇଁ ଆଧାର ପ୍ରାମାଣିକତା ଜରୁରୀ। ଆର୍‌ଟିଓ କାର୍ଯ୍ୟାଳୟଗୁଡ଼ିକରେ ଅତ୍ୟଧିକ ଗହଳିରୁ ବର୍ତ୍ତିବା ପାଇଁ ଏଭଳି ଯୋଗାଯୋଗ ବିହୀନ ସେବା ଆରମ୍ଭ ହୋଇଛି।

Share