ଆଉ ଲଢ଼ି ହେବନି ଯୁଦ୍ଧ: ଭାରତ ସହ ଆଲୋଚନା ପାଇଁ ଆଗ୍ରହ ପ୍ରକାଶ କଲେ ଶେହବାଜ…

ଇସଲାମାବାଦ,୧।୮ : ପାକିସ୍ତାନରେ ଚାଲିଥିବା ଗୁରୁତର ଅର୍ଥନୈତିକ ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଭାରତ ସହ ଆଲୋଚନା ପ୍ରସ୍ତାବ ଦେଇଛନ୍ତି। ଭାରତ ବିଷୟରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ ସରିଫ ମଙ୍ଗଳବାର କହିଛନ୍ତି ଯୁଦ୍ଧ ବିକଳ୍ପ ନୁହେଁ ଏବଂ ସେ ପଡୋଶୀ ଦେଶ ସହ କଥା ହେବାକୁ ପ୍ରସ୍ତୁତ।
ପାକିସ୍ତାନୀ ନ୍ୟୁଜ ୱେବସାଇଟ ଅନୁଯାୟୀ, ଇସଲାମାବାଦରେ ପାକିସ୍ତାନ ମିନେରାଲ ସମ୍ମିଳନୀକୁ ସମ୍ବୋଧିତ କରିବାବେଳେ ସେ ଏହି ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ’ଆମର କାହାରି ପାଖରେ କୌଣସି ଅଭିଯୋଗ ନାହିଁ, ଆମକୁ ନିଜର ଯତ୍ନ ନେବାକୁ ଏବଂ ଆମ ଦେଶ ଗଠନ କରିବାକୁ ପଡିବ। ଆଉ ଲଢ଼ି ହେବନି ଯୁଦ୍ଧ । ଆମ ପଡ଼ୋଶୀ ସହିତ, ଆମେ ଆଲୋଚନା କରିବାକୁ ପ୍ରସ୍ତୁତ, ଯଦି ସେମାନେ ବିଷୟ ଉପରେ ଆଲୋଚନା କରିବାକୁ ଗମ୍ଭୀର ହୁଅନ୍ତି ।

ପାକିସ୍ତାନ ହେଉଛି ଆଣବିକ ଶକ୍ତି ସମ୍ପନ୍ନ ଦେଶ। ଏସବୁ ପ୍ରତିରକ୍ଷା ଉଦ୍ଦେଶ୍ୟରେ ରଖାଯାଇଛି। ଆମେ ଗତ ୭୫ ବର୍ଷ ମଧ୍ୟରେ ତିନୋଟି ଯୁଦ୍ଧ କରିଛୁ, ଯାହା କେବଳ ଦାରିଦ୍ର୍ୟ, ବେକାରୀ ଏବଂ ସମ୍ବଳ ଅଭାବ ସୃଷ୍ଟି କରିଛି ।

ଏହା ସହିତ ସେ କହିଛନ୍ତି, ଯଦି ପରମାଣୁ ଯୁଦ୍ଧ ହୁଏ, ତେବେ କ’ଣ ଘଟିବ ତାହା ଜଣାଇବାକୁ କିଏ ଜୀବିତ ରହିବ? ଏହା ଏକ ବିକଳ୍ପ ନୁହେଁ ।

ପାକିସ୍ତାନ ପାଖରେ ୬ ଟ୍ରିଲିୟନ ଡଲାର ମୂଲ୍ୟର ଖଣିଜ ଭଣ୍ଡାର ରହିଥିଲେ ମଧ୍ୟ ଦେଶ ଏହାର ଫାଇଦା ନେବାରେ ସଫଳ ହୋଇ ପାରି ନାହିଁ। ଏଥିପାଇଁ ଆମେ ନିଜ ବ୍ୟତୀତ ଅନ୍ୟ କାହାକୁ ଦାୟୀ କରିପାରିବୁ ନାହିଁ।

ପାକିସ୍ତାନର ବିକାଶ ଯାତ୍ରାର କାହାଣୀ ହୃଦୟ ବିଦାରକ। କିନ୍ତୁ ଯଦି ଆମେ ଶିଖର ସମ୍ମିଳନୀରେ ଦିଆଯାଇଥିବା ଭାଷଣ ଏବଂ ଉପସ୍ଥାପନାକୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରିବା ତେବେ ଆମେ ଆମର ଅତୀତର ଗୌରବ ଫେରି ପାଇପାରିବା।

 

Share