ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ପଶ୍ଚିମବଙ୍ଗରେ ସ୍କ୍ରିନିଂ ହେଉନାହିଁ ‘ଦ କେରଲା ଷ୍ଟୋରି’

କୋଲକାତା,୨୦।୫: ପଶ୍ଚିମବଙ୍ଗରେ ‘ ଦ କେରଲା ଷ୍ଟୋରି’ ସ୍କ୍ରିନିଂକୁ ସୁପ୍ରିମକୋର୍ଟ ଅନୁମତି ଦେଇଥିଲେ ମଧ୍ୟ ବିବାଦୀୟ ଫିଲ୍ମକୁ ସ୍କ୍ରିନିଂ କରିବାକୁ କୌଣସି ସିନେମା ହଲ ରାଜି ହୋଉନାହାନ୍ତି। ନିକଟରେ ସାମ୍ପ୍ରଦାୟିକ ଅଶାନ୍ତି ଭୟରେ ରାଜ୍ୟ ସରକାର ଏହି ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଇଥିଲେ।

ପଶ୍ଚିମବଙ୍ଗ ଚଳଚ୍ଚିତ୍ରର ବିତରକ ସତ୍ୟଦୀ ଶାହା ଶୁକ୍ରବାର କହିଛନ୍ତି , ରାଜ୍ୟରେ କୌଣସି ସିଙ୍ଗଲ ସ୍କ୍ରିନ ଏବଂ ମଲ୍ଟିପ୍ଲେକ୍ସ ‘ଦ କେରଲା ଷ୍ଟୋରି’କୁ ଦେଖାଇବା ପାଇଁ ଆଗକୁ ଆସୁନାହାନ୍ତି। ସେ କହିଛନ୍ତି ଆମେ ହଲ ମାଲିକ ଏବଂ ମଲ୍ଟିପ୍ଲେକ୍ସ ଅଧିକାରୀଙ୍କୁ କହିଛୁ ଯେ ସେମାନେ ସ୍କ୍ରିନିଂ କରିପାରିବେ କାରଣ ବର୍ତ୍ତମାନ ‘ଦ କେରଲା ଷ୍ଟୋରି’ ଦେଖାଇବାରେ କୌଣସି ପ୍ରତିବନ୍ଧକ ନାହିଁ। କିନ୍ତୁ ଏ ପର୍ଯ୍ୟନ୍ତ କେହି ଫିଲ୍ମକୁ ରିଲିଜ କରିବାକୁ ରାଜି ହେଉନାହାନ୍ତି। ବୋଧହୁଏ ସେମାନେ ଚାହାଁନ୍ତି ନାହିଁ କାହାକୁ ବିରୋଧ କରିବାକୁ। ତେବେ ଆଇନକ୍ସ ଆଞ୍ଚଳିକ ମୁଖ୍ୟ ଅମିତାଭ ଗୁହା ଠାକୁର୍ତା କହିଛନ୍ତି, ଆମେ ରାଜ୍ୟ ସରକାରଙ୍କ ଏକ ଆନୁଷ୍ଠାନିକ ଆଦେଶକୁ ଅପେକ୍ଷା କରିଛୁ।

Share