ଦେଶରେ ରୂପ ବଦଳାଇ ନାହିଁ କରୋନା ଭାଇରସ ତେଣୁ ସତର୍କତା ଜରୁରୀ: ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୮ ।୧୦: ଦେଶରେ କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା.ହର୍ଷ ବର୍ଦ୍ଧନ କହିଛନ୍ତି ଏବେବି ଦେଶରେ କରୋନା ତା’ର ରୂପ ବଦଳାଇ ନାହିଁ । ତେଣୁ ଆମକୁ ସତର୍କ ରହିବାକୁ ପଡିବ । ଆଗକୁ ମା’ ଦୁର୍ଗାଙ୍କ ପୂଜା ଆସୁଥିବା ବେଳେ ଏବେ ଆରମ୍ଭ ହୋଇଯାଇଛି ନବରାତ୍ରୀ । ଏହାକୁ ସୁରକ୍ଷିତ ଭାବେ ପାଳନ କରିବାକୁ ସେ କହିଛନ୍ତି । ଆହୁରି ମଧ୍ୟ ମା’ଙ୍କ ନିକଟରେ ମୁଣ୍ଡ ନୁଆଁଇ ଆଶୀର୍ବାଦ ଭିକ୍ଷା କରିବା ସମୟରେ ସେହି କରୋନା ଯୋଦ୍ଧାଙ୍କୁ ମନେପକାଇବାକୁ ସେ କହିଛନ୍ତି ଯେଉଁମାନେ କରୋନା ସହ ଲଢି ନିଜ ଜୀବନ ଦେଇଛନ୍ତି ଓ ଏବେ ଯେଉଁମାନେ ଆଗଧାଡିର ଯୋଦ୍ଧା ସାଜି ଏହି ଅଦୃଶ୍ୟ ଯୁଦ୍ଧରେ ଲଢି ଚାଲିଛନ୍ତି । ଦୁର୍ଗାପୂଜାକୁ ନିରାଡମ୍ବର ଭାବେ ପାଳନ କରି ବରଂ ଏହି ସମୟରେ ଗରିବ ଲୋକଙ୍କୁ ସାହାଯ୍ୟ କରିପାରିଲେ ଏହା ଆପଣଙ୍କୁ ଅଧିକ ଖୁସି ଦେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ପୂର୍ବରୁ କେରଳର ଉଦାହରଣ ଦେଇ ସେ କହିଥିଲେ କରୋନା ମୁକାବିଲା କ୍ଷେତ୍ରରେ କେରଳ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଥିବା ବେଳେ ନିକଟରେ ସେମାନେ ଓନମ ପର୍ବ ପାଳନ କରି ପୁଣିଥରେ କରୋନା କବଳରେ ଫସି ଯାଇଛନ୍ତି । ତେଣୁ ତାକୁ ଦୃଷ୍ଟିରେ ରଖି ଦେଶବାସୀ ଦୁର୍ଗାପୂଜା ପାଳନ କରନ୍ତୁ ବୋଲି ସେ କହିଛନ୍ତି । ନଚେତ୍ ପାର୍ବଣ ପରେ କରୋନାର କୋପ ଆହୁରି ବଢିଯିବ ।

Share