ଭୋଟର ତାଲିକାରେ ଗୋଟିଏ ଗାଁର ୫୪ଜଣଙ୍କ ନାଁ ନାହିଁ

ଭଦ୍ରକ ଅଫିସ,୨୪।୧: ଭଦ୍ରକ ଜିଲା ସଦର ବ୍ଲକ ଅଧୀନ କେଦାରପୁର ପଞ୍ଚାୟତର ୧ ନଂ. ୱାର୍ଡ ପରିବିନ୍ଧା ରସାଳପୁର ଗ୍ରାମର ୫୪ ଜଣଙ୍କ ନାଁ ଭୋଟର ତାଲିକାରୁ ବାଦ୍‌ ପଡ଼ିଛି। ଏନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରି ସାମ୍ବିଧାନିକ ଅଧିକାର ପାଇଁ ସୋମବାର ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, ବିଧାନସଭା ଭୋଟର ତାଲିକାରେ ୱାର୍ଡର ସମସ୍ତ ଭୋଟରଙ୍କ ନାଁ ଥିଲା। ହେଲେ ୨୦୨୨ରେ ନୂତନ ପଞ୍ଚାୟତ ଭୋଟର ତାଲିକାରୁ ୫୪ ଜଣଙ୍କ ନାଁ କଟିଯାଇଛି। ପଞ୍ଚାୟତର ଜଣେ ଅଧିକାରୀ ଚଞ୍ଚକତା ପୂର୍ବକ ଅନ୍ୟ ୱାର୍ଡର ୫୪ ଭୋଟରଙ୍କ ନାମ ଦରଜ କରିବା ସହ ଭୋଟର ତାଲିକାର ଡ୍ରାଫ୍ଟ ପବ୍ଲିକେଶନ ସର୍ବସାଧାରଣରେ ନ କରାଇ ସେମାନଙ୍କ ନାମ କାଟି ଦେଇଛନ୍ତି। ଚୂଡ଼ାନ୍ତ ତାଲିକାରୁ ସେମାନେ ଜାଣିବାକୁ ପାଇଥିବା ବେଳେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମତଦାନରୁ ବଞ୍ଚତ୍ତ ହେବେ।
ଏ ସମ୍ପର୍କରେ ସେମାନେ ଜିଲାପାଳ ଓ ଭଦ୍ରକ ବ୍ଲକ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରିଛନ୍ତି। ଯଥାଶୀଘ୍ର ଜିଲା ପ୍ରଶାସନ ଏହାକୁ ଗୁରୁତ୍ୱ ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆନ୍ଦୋଳାତ୍ମକ ପନ୍ଥା ତଥା ଆମରଣ ଅନଶନ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।