ପେନ୍‌ସନ୍‌ ପାଇଁ ସରକାରୀ କାର୍ଯ୍ୟାଳୟ ଯିବାକୁ ପଡ଼ିବନି

ଭୁବନେଶ୍ୱର,୧।୧୨(ବନ୍ଦନା ସେଠୀ):ବିଏମ୍‌ସି ଅବସରପ୍ରାପ୍ତ କର୍ମଚାରୀଙ୍କ ଦୀର୍ଘଦିନର ଆଶା ପୂରଣ ହେବାକୁ ଯାଉଛି। ଏଣିକି ଅବସର ପରେ ପେନ୍‌ସନ୍‌ ପାଇବା ପାଇଁ ବିଏମ୍‌ସି ଅବସରପ୍ରାପ୍ତ କର୍ମଚାରୀଙ୍କୁ ସରକାରୀ କାର୍ଯ୍ୟାଳୟକୁ ଦୌଡିବାକୁ ପଡ଼ିିବ ନାହିଁ। ଲୋକାଲ୍‌ ଫଣ୍ଡ ଅଡିଟର ପେନ୍‌ସନ୍‌ ପ୍ରୋସିଡିଂ କରି ବିଏମ୍‌ସି କମିଶନରଙ୍କୁ ପଠାଇବା ପରେ କମିଶନର ପେନ୍‌ସନ ଅନୁମୋଦନ କରିବେ। ଏହାବାଦ୍‌ ନିୟମିତ ହୋଇଥିବା କର୍ମଚାରୀଙ୍କ ଏସିପି, ଆର୍‌ଏସିପି ଏବଂ ଏମ୍‌ଏସିପି ପେନ୍‌ସନ୍‌ ମଧ୍ୟ ଅନୁରୂପ ଭାବେ ଅନୁମୋଦନ ହେବ। ସେହିପରି ଅବସର ଏବଂ ମୃତ୍ୟୁକାଳୀନ ଗ୍ରାଚ୍ୟୁଇଟି ଲିମିଟ୍‌କୁ ୮ଲକ୍ଷରୁ ୧୫ଲକ୍ଷ ଯଥାଶୀଘ୍ର ଲାଗୁ କରିବା ପାଇଁ ବିଏମ୍‌ସି ପକ୍ଷରୁ ସହମତି ପ୍ରଦାନ କରାଯାଇଛି। ଏହା ୨୦୧୬ରୁ ପିଛିଲା ଭାବେ ଲାଗୁ ହେବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଭୁବନେଶ୍ୱର ମହାନଗର ନିଗମ ଅବସରପ୍ରାପ୍ତ କର୍ମଚାରୀ ସଂଘ ଏନେଇ ବାରମ୍ବାର ରାଜ୍ୟ ସରକାରଙ୍କ ନିକଟରେ ଦାବି କରି ଆସୁଥିବାବେଳେ ଗତ ୧୪ ତାରିଖରେ ବିଏମ୍‌ସି କମିଶନର ଏବଂ ଅବସରପ୍ରାପ୍ତ ସଂଘ କର୍ମଚାରୀଙ୍କ ମଧ୍ୟରେ ବିଏମ୍‌ସି କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅବସରପ୍ରାପ୍ତ କର୍ମଚାରୀ ସେମାନଙ୍କ ଦାବି ପୁନଃ ଉପସ୍ଥାପନ କରିଥିବାବେଳେ ପେନ୍‌ସନ ପାଇବା ନେଇ ଯେପରି ଭବିଷ୍ୟତରେ ଆଉ କୌଣସି ସମସ୍ୟା ନ ଉପୁଜେ, ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି କୁହାଯାଇଥିଲା। ଅବସର ନେବାର ୧ବର୍ଷ ପୂର୍ବରୁ ପେନ୍‌ସନ ପାଇବା ନିମିତ୍ତ ସମସ୍ତ ପ୍ରକ୍ରିୟା ଆରମ୍ଭ ହେବ। ଅବସର ନେବା ଦିନ ହିଁ ସେମାନଙ୍କର ଫାଇନାଲ୍‌ ପେନ୍‌ସନ ଅନୁମୋଦନ କରାଯିବ। ଯଦି କୌଣସି କାରଣରୁ ଉପରୋକ୍ତ ଦିନ ପେନ୍‌ସନ ଅନୁମୋଦିତ ନ ହୋଇ ପାରିଲା, ତେବେ ସେମାନଙ୍କ ପାଇଁ ପ୍ରୋଭିଜ୍‌ନାଲ୍‌ ପେନ୍‌ସନ୍‌ ଅନୁମୋଦନ କରିବା ବାଧ୍ୟତାମୂଳକ ହେବ। ଅତିରିକ୍ତ କମିଶନର-୨ଙ୍କ ଦ୍ୱାରା ପ୍ରତି ମାସର ଶେଷ ଦିନରେ ପେନ୍‌ସନ ବିଭାଗର ବୈଠକ ବସିବ। ଯଦି ସମ୍ପୃକ୍ତ ଦିନ ସରକାରୀ ଛୁଟି ଥାଏ ତେବେ ଏହାର ପୂର୍ବଦିନ ବୈଠକ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅପରପକ୍ଷେ ଆଲୋଚନା ସଫଳ ହେବା ସହ ବର୍ଦ୍ଧିତ ଗ୍ରାଚ୍ୟୁଇଟି ଯଥାଶୀଘ୍ର ଲାଗୁ କରିବା ପାଇଁ ସହମତି ପ୍ରଦାନ କରିଥିବାରୁ ସଂଘ ପକ୍ଷରୁ ବିଏମ୍‌ସିକୁ ଧନ୍ୟବାଦ ଜଣାଯାଇଛି। ଏଥିସହ ପେନ୍‌ସନ୍‌ ପେପର ଗ୍ରହଣ ବ୍ୟବସ୍ଥାକୁ ଅନ୍‌ଲାଇନ୍‌ ମୋଡ୍‌ ମାଧ୍ୟମରେ କରିବା ପାଇଁ ଅନୁରୋଧ କରାଯାଇଛି।

Share